ଚମ୍ପୁଆ,୧୭ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜଣେ ଛାତ୍ର ୪ ମହଲା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାର ୫ ଦିନ ପରେ ଚମ୍ପୁଆ ପୋଲିସ ୪ ଜଣ ବିଦ୍ୟାଳୟ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ବିଦ୍ୟାଳୟ କର୍ମଚାରୀ ହେଲେ ଦୈତାରୀ ସାହୁ, ଶଶିଶେଖର ଝା, ପ୍ରକାଶନ ଟି ଏବଂ ସୁରେନ୍ଦ୍ର ନାଥ ମିଶ୍ର।
ପ୍ରକାଶ ଯେ, ଗତ ୧୨ ତାରିଖରେ ବିଦ୍ୟାଳୟ ୪ ମହଲା ହଷ୍ଟେଲ ଛାତରୁ ଦଶମ ଶ୍ରେଣୀର ଛାତ୍ର କ୍ରିଷ୍ଣା ପ୍ରଧାନ ଡେଇଁ ଗୁରୁତର ହୋଇଥିଲେ। ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମାଡ଼ମରା ଓ ନିର୍ଯାତନା ଅଭିଯୋଗ ଆଣି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ।
ଛାତ୍ର ମୃତ୍ୟୁକୁ ନେଇ ୧୦ ଘଣ୍ଟା ଧରି ବିଦ୍ୟାଳୟ ଓ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଚମ୍ପୁଆ ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ ଓ ଆଇଆଇସି ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚତ୍ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଥିଲେ। ସିସିଟିଭି ଯାଞ୍ଚ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରାଉଚରା କରିଥିଲେ। ଗୁରୁବାର ବିଦ୍ୟାଳୟର ୪ଜଣ କର୍ମଚାରୀଙ୍କୁ କୋର୍ଟଚାଲାଣ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି।


