ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲେ। ଅପରାହ୍ନରେ କୋର୍ଟ ଚାଲାଣ କରିବା ପରେ ଥାନା ମାମଲା ନଂ.୩୯୬/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ନଭେମ୍ବର ୨ ତାରିଖ ସକାଳ ପ୍ରାୟ ୯ ଟାରେ ଗ୍ରାମର ନରେନ୍ଦ୍ର ପ୍ରଧାନ ଶ୍ରୀ ସ୍ବପ୍ନେଶ୍ୱର ମହାଦେବ ମନ୍ଦିର ନିକଟ ପୋଖରିକୁ ଗାଧୋଇବା ପାଇଁ ଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଉଗ୍ରସେନ ଓ ଅନ୍ୟ ଗାଁର ଜଣେ ସହଯୋଗୀ ପୂର୍ବ ଯୋଜନା ପ୍ରକାରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ନରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ଚିକିତ୍ସା ହୋଇ ଫେରିବାପରେ ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ କହ୍ନେଇ ମିର୍ଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।


