ଡ୍ରେନ୍‌ରୁ ମିଳିଲା ଯୁବକଙ୍କ ମୃତଦେହ

ବ୍ରହ୍ମପୁର ଅଫିସ,୨ା୨: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ନିକଟରେ ଥିବା ଏକ ଡ୍ରେନ୍‌ରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ବିଜିପୁର ବଡ଼ସାହିର ଡି. ନାଗୁ (୩୫)। ପୋଲିସ ମୃତଦେହ ଜବତ କରି ନଂ.ରେ ୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଠିକାଦାର ଜଣଙ୍କ ୨୦ ଫୁଟିଆ ଗଭୀର ଡ୍ରେନ୍‌ ନିର୍ମାଣ କରିବା ପରେ ତା’ ଉପରେ ଘୋଡଣି ପକାଇ ନ ଥିବାରୁ ସେଥିରେ ପଡ଼ି ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ବିଜିପୁର ବଡ଼ସାହିରେ ଡି. ନାଗୁ ରହୁଥିଲେ। କୌଣସି କାରଣରୁ ସ୍ତ୍ରୀ ତାଙ୍କଠାରୁ ଅଲଗା ହୋଇ ରହୁଛନ୍ତି। ବୁଧବାର ନାଗୁଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ସେ ଦାହ ପାଇଁ ନୀଳକଣ୍ଠ ଶ୍ମଶାନକୁ ଯାଇ ସନ୍ଧ୍ୟାରେ ଘରକୁ ଫେରି ନ ଥିଲେ। ଅନ୍ୟପଟେ ଗୁରୁବାର ଡ୍ରେନ୍‌ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ଜଣାପଡିଥିଲା। ସେଠାରେ ଟାଉନ ଥାନା ପୋଲିସ ପହଞ୍ଚିଥିଲା। ସେହିପରି ଡ୍ରେନ୍‌ ଭିତରେ ମରିପଡିଥିବା ଯୁବକଙ୍କ ଜଣେ ସମ୍ପର୍କୀୟ ଭାଇ ଡି. ରାଜୁ ମୃତଦେହ ଚିହ୍ନଟ କରିଥିଲେ ବୋଲି ପୋଲିସ କହିଛି।