ଗାଁରେ ପହଞ୍ଚିଲା ଯୁବ ଇଞ୍ଜିନିୟରଙ୍କ ମୃତଦେହ

କେନ୍ଦୁଝର/କଣ୍ଟିପାଳ,୬ା୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ କଣ୍ଟିପାଳ ମଠସାହି ଗ୍ରାମର ଯୁବ ଇଞ୍ଜିନିୟର ଜଗଦୀପ ରାଉତଙ୍କ ମୃତଦେହ ରବିବାର ଗାଁରେ ପହଞ୍ଚିଥିଲା। ଗାଁରେ ମୃତଦେହ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ପରିକ୍ରମା କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ଜଗଦୀପ ତାମିଲନାଡୁରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ହେଲେ ଗତ ୪ ତାରିଖରେ ଏକ ସଡ଼କ ଦୁର୍ଘଟଣାର ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ତାଙ୍କ ମୃତଦେହ ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ନିଜ ଗାଁ କଣ୍ଟିପାଳ ଅଣାଯାଇଥିଲା। ଗ୍ରାମବାସୀଙ୍କ ଶେଷଦର୍ଶନ ପରେ ଅନ୍ତିମ ସତ୍କାର କରାଯାଇଛି।