ରେଳଧାରଣାରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ

କୋରାପୁଟ,୨୬।୧୨(ସ୍ବ.ପ୍ର.): କୋରାପୁଟ-କିରଣ୍ଡଲ ରେଳଧାରଣାରୁ ସୋମବାର ଜଣେ କଲେଜ ଛାତ୍ରୀଙ୍କ ମୃତଦେହ କୋରାପୁଟ ସଦର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ଜଣକ ହେଲେ ଗୀତା ଜାନୀ(୧୮)। ତାଙ୍କ ଘର କୋରାପୁଟ ମ୍ୟୁନିସିପାଲଟି ଅଧୀନ ବଡ଼ଚିନ୍ଦ୍ରୀ ଗ୍ରାମରେ। ସେ ଜୟପୁର ବିକ୍ରମଦେବ କଲେଜରେ ଯୁକ୍ତ ୩ରେ ପାଠ ପଢୁଥିଲେ।

ମଳିଥିବା ସୂଚନା ମୁତାବକ, ରବିବାର ରାତିରେ ଗୀତା କୌଣସି କାମରେ ଘରୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ସୋମବାର ସକାଳେ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜିଆର୍‌ପିକୁ ଖବର ଦେଇଥିଲେ। ଜିଆର୍‌ପି ପହଞ୍ଚି ମୃତଦେହ ସହ ଘଟଣାସ୍ଥଳରୁ ଏକ ମୋବାଇଲ ଫୋନ ଜବତ କରିଥିଲା। ପୋଲିସ ତଦନ୍ତ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଜିଆର୍‌ପି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।