ବନ୍ଦ ଘରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ

ପୋଲସରା,୧୨ା୭(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ରାଜମହଲ ସାହି ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ନିକଟରେ ଥିବା ଏକ ଘରୁ ବୁଧବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବ୍ୟକ୍ତି ହେଉଛନ୍ତି ପୋଲସରା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅତିରିକ୍ତ ବ୍ୟାଙ୍କ ମ୍ୟାନେଜର ସୁଧାଂଶୁ ଶୁଭଙ୍କର ଦାସ। ସୁଧାଂଶୁ ରହୁଥିବା ଭଡ଼ାଘରର କବାଟ ଆଜି ସକାଳୁ ବହୁ ସମୟ ପରେ ବି ଖୋଲି ନ ଥିଲେ। ସନ୍ଦେହରେ ସାହିବାସିନ୍ଦା ପୋଲିସକୁ ଖବର ଦେଇଥିଲେ। ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରୁ ବେକରେ ଗାମୁଛା ଲଗାଇ ଝୁଲନ୍ତା ଅବସ୍ଥାରେ ସୁଧାଂଶୁଙ୍କ ମୃତଦେହ ଉଦ୍ଧାର କରି ମୃତକଙ୍କ ପରିବାରକୁ ଖବର ଦେଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ,  ଦୁଇ ଦିନ ତଳେ ପୁଅଙ୍କ ସହିତ ବାପା ଗଗନ କୁମାର ଦାସ ଫୋନ୍‌ ମାଧ୍ୟମରେ କଥା ହେଇଥିଲେ। ପୁଅ ସୁଧାଂଶୁ ବାପାଙ୍କୁ କହିଥିଲେ ମୋତେ ବ୍ୟାଙ୍କରେ କାମ ପ୍ରେସର ହେଉଛି। ଜଣେ ଗ୍ରାହକ ସହିତ ଝଗଡ଼ା ହୋଇଥଲା। ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିବା ବେଳେ ପୁଅ ସୁଧାଂଶୁଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପା ଗଗନ କୁମାର ଦାସ। ତେବେ ସୁଧାଂଶୁଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ କେସ୍‌ ନମ୍ବର ୪୦୬/୨୩ ରେ ଏକ ମାମଲା ରୁଜୁ କରି ତାର ତଦନ୍ତ ଜାରି ରଖିଥିବା ଏଏସ୍‌ଆଇ ଜୟପ୍ରକାଶ ପଟ୍ଟନାୟକ କହଛନ୍ତି।