ଜଗନ୍ନାଥ ପ୍ରସାଦ,୧୫ା୧(ବିଭୁ ପ୍ରସାଦ ପଟ୍ଟନାୟକ)- ଝିଅ ଅନ୍ୟ ଜାତିରେ ବାହା ହୋଇଗଲା ବୋଲି ଜାତିପ୍ରଥାକୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ବାପାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ସତ୍କାର କରିବାକୁ କେହି ଗ୍ରାମବାସୀ ଆସିଲେନି। ଏପରି ଦୁଃଖଦ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏହି ବ୍ଲକର ଅଳସୁ ଗ୍ରାମର ବନ୍ଧସାହିରେ।
ଖବରରୁ ଜଣାପଡିଛି, ଗ୍ରାମର ଗୋବିନ୍ଦ ବାରିକ (୫୬) ପରିବାର ସହ ଦୀର୍ଘବର୍ଷ ଧରି ବନ୍ଧସାହିରେ ବସବାସ କରୁଥିଲେ। ତାଙ୍କର ଏକମାତ୍ର ଝିଅ ରଶ୍ମିତା ବାରିକ ୧୧ ବର୍ଷ ତଳେ ଅନ୍ୟଜାତିର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ସେହିଦିନଠାରୁ ଗୋବିନ୍ଦଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିଥିଲେ ଗ୍ରାମବାସୀ। ସେ ଗ୍ରାମରେ ସମସ୍ତଙ୍କ ସହ ମିଳିମିଶି ଚଳିବା ପାଇଁ ଅନେକ ଥର ଚେଷ୍ଟା କରି ବିଫଳ ହେଇଥିଲେ। ସ୍ବାସ୍ଥ୍ୟଗତ ଅସୁସ୍ଥତା ହେତୁ ଗୁରୁବାର ଭୋର ୫ଟାରେ ଗୋବିନ୍ଦ ନିଜ ବାସଭବନରେ ମୃତ୍ୟୁବରଣ କରିଥିଲେ। ନିକଟରେ କେବଳ ସ୍ତ୍ରୀ କୁନି ବାରିକ (୪୪) ଓ ରଶ୍ମିତା ରହି କୋହଭରା କଣ୍ଠରେ କାନ୍ଦୁଥିଲେ ମଧ୍ୟ ଗ୍ରାମବାସୀ ଓ କୁଳ ସମାଜ ପାଖ ମାଡି ନ ଥିଲେ। ମୃତଦେହ ସତ୍କାର ପାଇଁ ଦୀର୍ଘ ୯ ଘଣ୍ଟା ଧରି ଘରେ ପଡିରହିଥିଲା। ଅଳସୁ ପଞ୍ଚାୟତ ସମିତିସଭ୍ୟା ରଶ୍ମିତା ସେଠୀ ଓ ତାଙ୍କ ସ୍ବାମୀ ମନୋଜ ସେଠୀ ଗୋବିନ୍ଦଙ୍କ ଘର ନିକଟରେ ପହଞ୍ଚତ୍ ଉପସ୍ଥିତ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କୁ ବୁଝାଶୁଝା କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ଚାରିଟେବଲ ଟ୍ରଷ୍ଟକୁ ମୃତଦେହ ସତ୍କାର ପାଇଁ ସହଯୋଗ ଲୋଡ଼ିଥିଲେ। ସନ୍ତୋଷ ଦଳବେହେରା, ହାଡ଼ିଆ ପ୍ରଧାନ, ନାରାୟଣ ପ୍ରଧାନ, ତାରିଣୀ ସେଠୀ, ସୁଶାନ୍ତ ପ୍ରଧାନ, ରଞ୍ଜିତ ନାୟକ, ନାରାୟଣ ସାହୁ, ନୀର ସାହୁ, କାହ୍ନୁ ପ୍ରଧାନ, ମହେଶ୍ୱର ସାହୁ ପହଞ୍ଚତ୍ ଗ୍ରାମ ଶ୍ମଶାନରେ ମୃତଦେହ ସତ୍କାର କରିଥିଲେ।


