କବିସୂର୍ଯ୍ୟନଗର, ୨୮।୨(କୃପାସିନ୍ଧୁ ସ୍ବାଇଁ): ସମୟ ଥିଲା ବାହାଘର ପାଇଁ ଶଗଡ ବ୍ୟବହାର ହେଉଥିଲା। ଶଗଡରେ କନ୍ୟା ଆସୁଥିଲେ ବରଘରକୁ ଏବଂ ବାହାଘର ହେଉଥିଲା। ବାଲ୍ୟ ବିବାହ ସମୟରେ ପ୍ରଚଳିତ ଥିଲା ଏହି ପ୍ରଥା। ପରେ ଆସିଲା ପାଲିଙ୍କି ସମୟ। ପାଲିଙ୍କିରେ ବର ଯାଉଥିଲେ କନ୍ୟା ଘରକୁ। ସାଙ୍ଗରେ ଚାଲିଚାଲି ଯାଉଥିଲେ ବରଯାତ୍ରୀ। ବିବାହ କରି ଫେରିବା ବେଳେ ବର ଯାଇଥିବା ପାଲିଙ୍କିରେ ଫେରୁଥିବା ବେଳେ କନ୍ୟା ମଧ୍ୟ ପଛରେ ଆଉ ଗୋଟିଏ ପାଲିଙ୍କିରେ ଆସୁଥିଲେ। ଯୁଗରୁଚି ବଦଳି ଅନୁସାରେ ବିବାହ କାର୍ଯ୍ୟରେ ବ୍ୟବହୃତ ଶଗଡ ପରମ୍ପରା ବନ୍ଦ ହୋଇ ଯାଇଥିଲା। ବାହାଘର ସମୟରେ ବହୁ ଗାଡିମୋଟର ବ୍ୟବହାର ଏବେ ହୋଇ ଆସୁଛି। ଏପରିକି ହେଲିକପ୍ଟରରେ ମଧ୍ୟ ବିବାହ ପାଇଁ ବର ଯାଉଛନ୍ତି କନ୍ୟା ଘରକୁ। ତେବେ ଆଜିର କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଯୁଗରେ ଶଗଡରେ ବୋହୁ ଶାଶୁଘରକୁ ଆସି ବିବାହ କରିବା ପ୍ରାଚୀନ ପରମ୍ପରା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ସାମନ୍ତରାପଲି ଗାଁରେ। ପୋଲସରା ବ୍ଲକ କଳମ୍ବ ଗ୍ରାମ ସ୍କୁଲ ସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନ ଆସିଥିଲେ ଶାଶୁଘର ସାମନ୍ତରାପଲି ଗ୍ରାମକୁ। ସବୁଠାରୁ ମଜାର କଥା ଯେ, ଏଥିପାଇଁ ବର ପ୍ରମୋଦ ପ୍ରଧାନଙ୍କ ପୁଅ ଶନିଶ୍ଚର ପ୍ରଧାନ ଓଡ଼ିଆ ସାହିର ଶଗଡିଆ ସୁରେନ୍ଦ୍ର ସ୍ବାଇଁ ଓ ଯୁଧିଷ୍ଠିର ପରିଡାଙ୍କଠାରୁ ଶଗଡ଼ ମାଗି ଆଣି ରାତି ଅନିଦ୍ରା ହୋଇ ସୁନ୍ଦର ଭାବରେ ଶଗଡକୁ ଫୁଲରେ ସଜାଇଥିଲେ।
ନିଜ ବିବାହ କାର୍ଯ୍ୟକୁ ସବୁଦିନ ପାଇଁ ସ୍ମୃତିମଧୁର କରି ରଖିବା ଉଦ୍ଦେଶ୍ୟରେ ଏପରି ଶନିଶ୍ଚର କରିଥିବା କହିଛନ୍ତି ଶନିଶ୍ଚର। ସେ ନିଜ ଧର୍ମପତ୍ନୀଙ୍କୁ ଆଣିବା ପାଇଁ ଶଗଡକୁ ବ୍ୟବାହର କରିଥିଲେ। ତାହା ସହ ଡିଜେ ସାଉଣ୍ଡ ବଦଳରେ ବାଘ, ଷଣ୍ଢ ନୃତ୍ୟ ପରିବେଷଣ ବ୍ୟବସ୍ଥା ମଧ୍ୟ କରିଥିଲେ। ଶଗଡ଼ରେ କନ୍ୟା ଆସିବା ବେଳେ ରାସ୍ତାରେ ବହୁ ଯୁବକ ସେଲ୍ଫି ନେବାକୁ ଶଗଡ ଅଟକାଉଥିଲେ। ପୁରାତନ ପରମ୍ପରାକୁ ଆପଣାଇବାକୁ ଯୁବ ସମାଜ ପାଇଁ ସେ ଦେଇଛନ୍ତି ବାର୍ତ୍ତା। ଶନ୍ନିଶ୍ଚରଙ୍କ ମା, ଖୁଡୀ ମଧ୍ୟ ତାଙ୍କ ସମୟରେ ଶଗଡରେ ଆସିଥିଲେ ବୋଲି କହନ୍ତି ସେ। ୨୫ ତାରିଖରେ ବର୍ଷାଙ୍କୁ ବିବାହ କରିଥିବା ଶନିଶ୍ଚରଙ୍କ ଏଭଳି ବିବାହ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି।

