ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବାକୁ ଯୋଜନା କରୁଥିବାବେଳେ ତାକୁ କାର୍ଯ୍ୟକାରୀ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ଦାରିଙ୍ଗବାଡି ସମ୍ପର୍କରେ ଅଧିକ ଅବଗତ ହେବାକୁ ସରକାରୀସ୍ତରରେ କିମ୍ବା ଜିଲା ପ୍ରଶାସନସ୍ତରରେ ସେଭଳି କୌଣସି ୱେବସାଇଟ ନ ଥିବାରୁ ସାମାଜିକ ଗଣମାଧ୍ୟମ ଓ ସ୍ଥାନୀୟ ଗଣମାଧ୍ୟମ ମାଧ୍ୟମରେ ପର୍ଯ୍ୟଟକ ଯାହା ସୂଚନା ପାଉଥିଲେ ସେ ସୂଚନା ଆଧାରରେ ଦାରିଙ୍ଗବାଡି ଭ୍ରମଣରେ ପର୍ଯ୍ୟଟକ ଆସୁଥିଲେ।
ତେବେ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ଆଉ ଗୋଟିଏ ପାଦ ଆଗକୁ ନେବାକୁ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଏକ୍ସପ୍ଲୋର ଦାରିଙ୍ଗବାଡି ୱେବସାଇଟକୁ ଉନ୍ମୋଚନ କରାଯାଇଛି। ଜିଲାପାଳ ବେଦଭୂଷଣ, କନ୍ଧମାଳ ଏସପି ହରିଶ ବିଶି, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ପ୍ରୋବେଶନର ଆଇଏଏସ ଯଶକରନ ସିଂ, ସିଡିଓ ଶମ୍ବୁନାଥ ନନ୍ଦୀ, ସିଡିଏମଓ ଡ଼ଃ ଅକ୍ଷୟ ସାହୁ, ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ପ୍ରମୁଖ ପ୍ଲାକାର୍ଡ ଦେଖାଇ ଏହାର ଶୁଭାରମ୍ଭ କରିବା ସହ ଉପସ୍ଥିତ ଲୋକଙ୍କୁ ଏହାର ସ୍ଲାଇଡ଼ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ।
ଉକ୍ତ ସାଇଟରେ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ସମସ୍ତ ଚିତ୍ର ଓ ତା ସମ୍ପର୍କିତ ତଥ୍ୟ, କନ୍ଧମାଳ ହଳଦୀ ଓ ବିଭିନ୍ନ ତଥ୍ୟ ରହିଛି। ଯାହାକି ପର୍ଯ୍ୟଟକମାନେ ସହଜରେ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ସମେତ ଏଠାରେ ପାରମ୍ପରିକ ଚଳଣି, ଖାଦ୍ୟ, ରାତ୍ରିଯାପନ ଏବଂ ହୋଟେଲ ସମ୍ପର୍କିତ ସୂଚନା ଜରୁରୀକାଳୀନ ସେବା ପାଇବା ପାଇଁ ପୋଲିସ, ଅଗ୍ନିଶମ, ସ୍ବାସ୍ଥ୍ୟକେନ୍ଦ୍ର ଆଦି କାର୍ଯ୍ୟାଳୟର ଫୋନ ନମ୍ବର ଆଦି ସେଠାରେ ରହିଥିବା ଜିଲାପାଳ କହିଛନ୍ତି।