ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ମୋଟର ଯାନ ମାମଲା ରୁଜୁ କରି ପୋଲିସ ନିୟମ ଖିଲାପକାରୀଙ୍କ ନିଦ ହଜାଇ ଦେଇଛି।

ଶନିବାର ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନମ୍ବର ଜାତୀୟ ରାଜପଥ ଉପରେ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇ ଜୋରଦାର ଗାଡ଼ି ମୋଟର ଯାଞ୍ଚ କରାଯାଇଥିଲା। ବିଶେଷ କରି ମୋଟରସାଇକେଲରେ ଦୁଇରୁ ଅଧିକ ଯାତ୍ରୀ (ଟ୍ରିପଲ୍ ରାଇଡିଂ) ବସାଉଥିବା ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଜରିମାନା ଆଦାୟ ଏବଂ ଗାଡ଼ି ଜବତ କରାଯାଉଛି। ଏହି ଯାଞ୍ଚ ସମୟରେ ବେଆଇନ ଭାବେ ୨ରୁ ଅଧିକ ଯାତ୍ରୀ ପରିବହନ କରୁଥିବା ୨ଟି ବାଇକ୍‌କୁ ପୋଲିସ ଜବତ କରିଛି।

ଦାରିଙ୍ଗବାଡି ଥାନା ଅଧିକାରୀ (ଆଇଆଇସି) ସଂଗ୍ରାମ କେଶରୀ ଜେନା ଗାଡ଼ି ଚାଳକମାନଙ୍କୁ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି ଯେ, ବାଇକ୍, ଅଟୋ କିମ୍ବା ଟ୍ୟାକ୍ସି ଚାଳକମାନେ ଗାଡ଼ିର ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବା ବାଧ୍ୟତାମୂଳକ। ବିଶେଷ କରି ଇନ୍ସ୍ୟୁରେନ୍ସ (Insurance), ପଲ୍ୟୁସନ (Pollution) ଏବଂ ଫିଟନେସ (Fitness) ପ୍ରମାଣପତ୍ର ନ ଥିଲେ ଗାଡ଼ିକୁ ସିଧାସଳଖ ଜବତ କରାଯାଇ କୋର୍ଟ ଚାଲାଣ କରାଯିବ।

ଆଇଆଇସି  ଜେନାଙ୍କ ସୂଚନା ଅନୁଯାୟୀ, ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଏବଂ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଦାରିଙ୍ଗବାଡି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ ଓ ଗାଡ଼ି ଯାଞ୍ଚ ପ୍ରକ୍ରିୟାକୁ ବହୁତ କଡ଼ାକଡ଼ି କରାଯାଇଛି। ପୋଲିସର ଏହି ବିଶେଷ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରି ରହିବ। ପୋଲିସର ଏଭଳି ପଦକ୍ଷେପକୁ ସ୍ଥାନୀୟ ସଚେତନ ନାଗରିକମାନେ ସ୍ୱାଗତ କରିଛନ୍ତି।

Dharitri – Odisha’s No.1 Odia Daily

Share