ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ କନ୍ଧମାଳ ଏସ୍ପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ଡିଏସ୍ପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝିଙ୍କ ନେତୃତ୍ୱରେ ଏସ୍ଆଇ ଲକ୍ଷ୍ମୀ ମାଝୀ, ଜୟନ୍ତ ସେଠୀ, ଏଏସ୍ଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ସଦଳବଳେ ଦାରିଙ୍ଗବାଡି ଥାନାରୁ ଫ୍ଲାଗମାର୍ଚ୍ଚ କରି ଚାରିଛକ, ତିନିଛକ, ଶିବମନ୍ଦିର ସାହି, ଲଷ୍ମୀବଜାର,ତୁଡୁକିବାଡ଼ି, ଜାଗୃତି ସାହି, ୫୯ ନଂ ଜାତୀୟରାଜପଥ ଆଦି ଅଞ୍ଚଳରେ ପୋଲିସ ବାହିନୀ ଘୁରି ବୁଲିଥିଲେ। ଆଗକୁ ପାର୍ବଣ ଆସୁଥିବାରୁ ଏହି ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ତାର ଉପସ୍ଥିତି ଜାହିର କରାଇଛି। ଦଶହରା ପର୍ବ ଏବଂ ଗଜଲକ୍ଷ୍ମୀ ପୂଜା ଚଳିତ ଥର ବଡ଼ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ପୂଜା ପାର୍ବଣ ପାଇଁ ଲୋକମାନେ ଯେମିତି ନିଜ ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ପୋଲିସ ପକ୍ଷରୁ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବା ଏହି ଫ୍ଲାଗମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡିଏସ୍ପି କନକ ମାଝୀ କହିଛନ୍ତି।


