ଦାରିଙ୍ଗବାଡି-କୋଟଗଡ଼ ରାସ୍ତା ଅବସ୍ଥା ଶୋଚନୀୟ: ଯାତ୍ରୀବାହୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲା ପ୍ରଭାବିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଲାଗି ରହିଛି। ଫଳରେ ଏକାଧିକ ଗାଁକୁ ରହିଥିବା ପଞ୍ଚାୟତ ରାସ୍ତା ସମେତ ପ୍ରଧାନମନ୍ତ୍ରୀ ସଡ଼କ ମଧ୍ୟ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଦୁର୍ଗମ ଗାଁରୁ ଅଞ୍ଚଳବାସୀ ସହରକୁ ଆସିବାକୁ ବହୁ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଛି।

ଏଭଳି ଉକ୍ତ ବ୍ଲକର ଦ୍ୱର୍ଗମ ପଞ୍ଚାୟତ ଭାବେ ଜଣାଶୁଣା ସିକାବର୍ଗ ଦେଇ କୋଟଗଡ଼ ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଏବେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ବର୍ଷା ଜଳ ଭର୍ତ୍ତି ହୋଇରହିଛି। ଫଳରେ ଗାଡି ମୋଟର, ଆମ୍ବୁଲାନ୍ସ ଆଦି ଯାତାୟାତରେ ବଡ଼ ସମସ୍ୟା ଦେଖାଯାଇଛି। ବ୍ରହ୍ମପୁରରୁ ଦାରିଙ୍ଗବାଡି ଦେଇ ଦନେକବାଡି, ସିର୍କାବର୍ଗ ହୋଇ କୋଟଗଡ଼କୁ ଯାତାୟାତ କରୁଥିବା ଘରୋଇ ବସ ଗୁଡିକ ଚଳାଚଳ ବନ୍ଦ କରିଦେଇଥିବା ଜଣାପଡିଛି।

କେବଳ ସରକାରୀ ବସ ଦାରିଙ୍ଗବାଡିଠାରୁ ସିର୍କାବର୍ଗ ପର୍ଯ୍ୟନ୍ତ ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ଅବସ୍ଥା ବିପଦପୂର୍ଣ୍ଣ ରହିଛି। ଉକ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଆସୁଥିବା ବସରେ ଲୋକ ଯାତାୟାତ ପାଇଁ ସୁରକ୍ଷା ମଣୁନାହାନ୍ତି। ସେହିପରି ବସରେ ଏତେ ସଂଖ୍ୟାରେ ଯାତ୍ରୀ ଯାତାୟାତ ସମ୍ଭବ ହେଉ ନ ଥିବା ଜଣାପଡିଛି। ଫଳରେ ଯାତ୍ରୀବାହୀ ଅଟୋ ଏବେ ଭରସା ବୋଲି କୁହନ୍ତି ଗ୍ରାମବାସୀ ।
ସୂଚନାଯୋଗ୍ୟ ଯେ, ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାବେଳେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ସହ ୨ଥର ପ୍ରତିବାଦରେ ରାସ୍ତା ଅବରୋଧ କରିଥିଲେ। ପ୍ରଶାସନ ଶୀଘ୍ର ଉକ୍ତ ରାସ୍ତା ପୁନଃରୁଦ୍ଧାର କରିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଞ୍ଚଲେ ଲୋକପ୍ରତିନିଧି ଓ ଜନସାଧାରଣ ଅଭିଯୋଗ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share