ବିପଦସଙ୍କୁଳ ଶ୍ରେଣୀ ଗୃହ

ନାରାୟଣପାଟଣା,୧୯।୨(ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ଛାତ୍ରୀ ଛାତ୍ରଙ୍କ ପାଇଁ ସରକାର ଅନେକ ସୁବିଧା କରୁଛନ୍ତି। ଛତା, ଜୋତା, ଡ୍ରେସ୍‌ଠାରୁ ଆରମ୍ଭ କରି ବିଦ୍ୟାଳୟର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ଏବେ ମଧ୍ୟ ଏପରି କେତେକ ବିଦ୍ୟାଳୟ ରହିଛି, ଯେଉଁଠି ଛାତ୍ରୀଛାତ୍ରମାନେ ପିଣ୍ଡାରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟ ଲାଗି ଭିତିଭୂମି ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରୀଛାତ୍ର। କେଉଁଠି ବିଦ୍ୟାଳୟ ଘରର ଛାତରୁ ପାଣି ଗଳୁଛି ତ, କେଉଁଠି ରୋଷେଇ ଘର ନ ଥିବାରୁ ବାହାରେ ରୋଷେଇ ହେଉଥିବା ଖାଦ୍ୟ ଖାଉଛନ୍ତି । କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବୋରିଗି ପଞ୍ଚାୟତ ଅନ୍ତର୍ଗତ କିଲିମିଶି ପ୍ରାଥମିକ ବିଦ୍ୟାଳୟରେ ଏପରି ଦେଖିବାକୁ ମିଳିଛି।
କିଲିମିଶି ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଛତ୍ରୀଛାତ୍ରଙ୍କ ପାଇ ୨ ଜଣ ଶିକ୍ଷକ ଅଛନ୍ତି, ମାତ୍ର ଏଠାରେ ପିଲାମାନେ ପାଠ ପଢିବାକୁ ନାଁ ଅଛି ଘର ନାଁ ପଢିବାକୁ କିଛି ସୁବିଧା। ଫଳରେ ଅତି ଦୟନୀୟ ଅବସ୍ଥାରେ ଗୋଟିଏ ଘରେ ଛାତ୍ରୀଛାତ୍ରମାନେ ଭାଗ ବାଣ୍ଟି ବସି ପାଠ ପଢୁଛନ୍ତି। ୫ଟି ଶ୍ରେଣୀ ପାଇଁ ୫ଟି ଶ୍ରେଣୀଗୃହ ଆବଶ୍ୟକ ଥିବା ବେଳେ ୨ଟି ଛୋଟ ଛୋଟ ଘରେ ଖୁବ୍‌ କଷ୍ଟରେ ବସି ପିଲାଏ ପଢୁଥିବା ଦେଖିବାକୁ ମିଳୁଛି। ରହିଥିବା ଶ୍ରେଣୀଗୃହ ମଧ୍ୟ ସୁରକ୍ଷିତ ନୁହେଁ। ବସୁଥିବା ଶ୍ରେଣୀଗୃହ କାନ୍ଥ ଫାଟି ଆଁ କଲାଣି। ଛାତରୁ ସିମେଣ୍ଟ ଖସୁଛି। ଏପରି ସ୍ଥିତି ସମ୍ପର୍କରେ ଶିକ୍ଷକ,ଗ୍ରାମବାସୀ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଏ ସମ୍ପର୍କରେ ବିଡିଓ ଅଶ୍ୱିନୀ ମହାପାତ୍ର ଓ କନିଷ୍ଠ ଯନ୍ତ୍ରୀ ସତେନ୍ଦ୍ର ଦତ୍ତଙ୍କୁ ପଚାରିବାରୁ ଉଭୟେ କହିଲେ, କିଲିମିଶି ଗ୍ରାମରେ ନୂତନ ଶ୍ରେଣୀଗୃହ ନିର୍ମାଣ ଲାଗି ୧୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତହସିଲକୁ ଜାଗା ଯୋଗାଇଦେବାକୁ ଚିଠି କରାଯାଇଛି। ତହସିଲ ପକ୍ଷରୁ ଏଯାଏ ଜାଗା ମିଳିନାହି। ଜାଗା ମିଳିଲେ ଖୁବ୍‌ ଶୀଘ୍ର ନୃତନ ଗୃହ ନିର୍ମାଣ ଆରମ୍ଭ ହେବ ବୋଲି ବିଡିଓ କହିଛନ୍ତି।