Categories: ଫୁରସତ

ନୃତ୍ୟ ଦେଇଛି ପରିଚୟ

ପିଲାଟି ଦିନରୁ ତାଙ୍କର ନୃତ୍ୟ କ୍ଷେତ୍ରରେ ବେଶ୍‌ ରୁଚି। ଯେଉଁଥିପାଇଁ ସେ ନିଜ ଜିଲା ସମେତ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛି ବ୍ରହ୍ମପୁର ସହରର ବଡ଼ଖେମୁଣ୍ଡି ସାହିରେ ରହୁଥିବା ନମିତା ରାଣୀ ଏବଂ ନିରଞ୍ଜନ ପାତ୍ରଙ୍କ ଝିଅ ତନିଶା। ବର୍ତ୍ତମାନ ଦଶମ ଶ୍ରେଣୀର ଛାତ୍ରୀ। ମାତ୍ର ୨ୟ ଶ୍ରେଣୀରେ ପଢୁଥିବା ବେଳେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ମା’ ପ୍ରେରଣା ଦେଇଥିଲେ। ବୟସ ବଢିବା ସହ ନୃତ୍ୟ ସାଙ୍ଗକୁ ସେ ମଡେଲିଂରେ ମଧ୍ୟ ସଫଳତା ହାସଲ କରିବାରେ ଲାଗିଲେ। ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ରିଆଲିଟି ଶୋ’ରେ ସେ ୨ୟ ରନର୍ସ ଅପ୍‌ ରହିଛନ୍ତି। ଏଥିସହ ତନିଶା ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଛନ୍ତି। ସେ ମଡେଲିଂରେ ସିଲ୍କ ସିଟି ୨୦୨୧ ପ୍ରତିଯୋଗିତାରେ ଭାଗ ନେଇ ମିସ୍‌ ଫ୍ୟାଶନ ଆଇକନ୍‌ ଭାବେ ବିଜୟୀ ହୋଇଛନ୍ତି। ଏଥିସହ ଜାତୀୟ ସ୍ତରୀୟ ପ୍ରତିଯୋଗିତା ‘ଜଜୱା ସାହସ କି’ରେ ୩ୟ ସ୍ଥାନ, ୨୦୨୧ ମସିହାରେ ନୃତ୍ୟ ପ୍ରତିଯୋଗିତାରେ ୨ୟ ରନର୍ସ ଅପ, ୨୦୨୧ ମସିହା ବ୍ଲକସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ୨ୟ, ୨୦୧୯ ମସିହା ଜିଲାସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଆୱାର୍ଡ, ୨୦୧୯ ମସିହା ଗୋପାଳପୁର ବେଳାଭୂମି ମହୋତ୍ସବରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଆୱାର୍ଡ, ୨୦୨୧ ମସିହାରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଓ ୨୦୧୮ ମସିହା ପୁସ୍ତକ ମେଳାରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଆୱାର୍ଡ ହାସଲ କରିଛନ୍ତି। କେବଳ ଏତିକି ନୁହେଁ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି। ତେବେ ନିଜ ସଫଳତାର ଶ୍ରେୟ ଅଭିଭାବକଙ୍କୁ ଦେଉଥିବା ତନିଶା ଭବିଷ୍ୟତରେ ଜଣେ ଅନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।
-ସ୍ମୃତି ରଞ୍ଜନ ମହାଲିକ୍‌

Share