ଦାଦନ: ସମସ୍ୟା ନୁହେଁ, ଦୁଃଖ

ନୂଆପଡ଼ା,୩୧ା୧୦(ପୀତାମ୍ବର ସାହୁ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଘୋଷଣା ପରଠାରୁ ଯଦିଓ ବିଭିନ୍ନ ଦଳର ନେତାମାନେ ବଡ଼ ଗାଡ଼ି ଧରି ଏଠାକାର ମୁଖ୍ୟ ରାସ୍ତାରେ ବାରମ୍ବାର ଏପାଖସେପାଖ ହୋଇ ନିଜ ଉପସ୍ଥିତି ଦେଖାଉଛନ୍ତି, ତଥାପି ବାସ୍ତବ ସମସ୍ୟା ଭିତରକୁ ପଶିବାର ଆଗ୍ରହ ସେମାନଙ୍କଠାରେ ଦେଖିବାକୁ ମିଳୁନାହିଁ। ନୂଆପଡ଼ା ଓ ଖରିଆର ରୋଡ୍‌ ଏନ୍‌ଏସିଠାରୁ ଗୋଟିଏ ଗୋଟିଏ ଗାଁର ଦୂରତା ସର୍ବନିମ୍ନ ୧୦ରୁ ୪୦ କି.ମି. ହେବ। ପ୍ରମୁଖ ୩ ଦଳର ନେତାମାନେ ଏହିସବୁ ଦୂରଦୂରାନ୍ତ ଗାଁକୁ ମଧ୍ୟ ଯାଉଛନ୍ତି। ହେଲେ ସମସ୍ୟା ସମାଧାନର ଆନ୍ତରିକତା ନ ରଖି ନିଜ ଦଳର ବ୍ୟାନର, ପୋଷ୍ଟର ଲଗାଇ ଉପନିର୍ବାଚନରେ ବିଜୟୀ ହେବା ଏକମାତ୍ର ଲକ୍ଷ୍ୟ ଭାବେ ଧରି ନେଇଥିବା ମନେ ହେଉଛି। ଓଡ଼ିଶାର ଦାଦନ ସମସ୍ୟା ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥାଏ। ଏହାର ସମାଧାନ କରିଦେବେ ବୋଲି ବିଭିନ୍ନ ଦଳର ନେତାମାନେ ଅନେକ ସମୟରେ କହିଥାନ୍ତି। ହେଲେ ଏବେ ଯେତେବେଳେ ଏକ ଦାଦନ ପ୍ରବଣ ଜିଲା ଭାବେ ପରିଚିତ ନୂଆପଡ଼ାରେ ବହୁ କ୍ଷମତାଶାଳୀ ନେତା ପହଞ୍ଚିଛନ୍ତି, କେବଳ ରାଜନୀତି କରିବା ଉଦ୍ଦେଶ୍ୟ ଛାଡ଼ିଦେଲେ ଲୋକଙ୍କ ରୋଜଗାର ବଢ଼ାଇବା ନେଇ ସେପରି କୌଣସି ଦୂରଦୃଷ୍ଟି ସମ୍ପନ୍ନ ପ୍ରସ୍ତାବ ରଖୁଥିବା ଦେଖିବାକୁ ମିଳୁନାହିଁ। ବୁଧବାର ଯେତେବେଳେ ନୂଆପଡ଼ାର ଉପନିର୍ବାଚନ ସ୍ଥିତି ପରଖିବା ଲାଗି କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ, ପଲସିପାଣି ଓ ମାନିଗୋଡ଼ା ପଞ୍ଚାୟତ ଭଳି କେତେଗୁଡ଼ିଏ ପଞ୍ଚାୟତ ଓ ଏହା ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଗସ୍ତ କରିଥିଲୁ, ସ୍ଥାନୀୟ ଲୋକଙ୍କ ରୋଜଗାର ନେଇ ବିଚିତ୍ର କଥା ଦୃଷ୍ଟିକୁ ଆସିଛି। ଗୋଟିଏ ପଞ୍ଚାୟତରୁ ପ୍ରାୟ ୭ ଶହରୁ ଅଧିକ ଲୋକ ଦାଦନ ଖଟିବା ଲାଗି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ନାଟକ, ଉତ୍ତରପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟକୁ ଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାୟ ୬୩ ପଞ୍ଚାୟତ ରହିଛି। ଏଥିରୁ ଜଣେ ସାଧାରଣ ଲୋକ ଅନୁମାନ କରିପାରିବେ, କେବଳ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଦାଦନ କେତେବଡ଼ ସମସ୍ୟା। ହେଲେ ଏକଥାକୁ ରାଜ୍ୟର ତିନି ପ୍ରମୁଖ ଦଳ କେବେହେଲେ ଗୋଟିଏ ମୁଖ୍ୟ ପ୍ରସଙ୍ଗ କରିପାରିବେ ନାହିଁ ବୋଲି କୋମନା ବ୍ଲକ ବାସିନ୍ଦା ଶ୍ୟାମ ଶବର ଭୟଭୀତ ଅବସ୍ଥାରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ରାଜ୍ୟରେ ୨୪ ବର୍ଷର ବିଜେଡି ସରକାର ଏଇ କେତେଦିନ ହେବ କ୍ଷମତାର ଅଳିନ୍ଦ ଭିତରୁ ବାହାରି ବିରୋଧୀ ଦଳର ଆସନ ମଣ୍ଡନ କରିଛି। ଯଦି ଏବେକାର ମୁଖ୍ୟ ବିରୋଧୀ ଦଳ ଦାଦନ କଥା ଉଠାନ୍ତି, ତେବେ ସେମାନେ ୨୪ ବର୍ଷ ଧରି ଦେଇଆସିଥିବା ମିଛ ପ୍ରତିଶ୍ରୁତି ଉପନିର୍ବାଚନରେ ବିଜେଡି ପାଇଁ ଆପଣା ହସ୍ତେ ଜିହ୍ବା ଛେଦିବା ଭଳି ହୋଇଯିବ। ନୂଆକରି ଶାସନକୁ ଆସିଥିବା ଭାଜପା କାହିଁକି ବା ଏକଥା କହି ନିଜ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି କରିବ। କଂଗ୍ରେସ ଅମଳରୁ ହିଁ ଦାଦନ ସମସ୍ୟା ଓଡ଼ିଶାରେ ମୁଣ୍ଡଟେକି ଆଜି ଏକ ବଡ ଦ୍ରୁମରେ ପରିଣତ ହୋଇଛି। ତେଣୁ ଆଉ ଆଶା ନାହିଁ, ନିଜ ଭାଗ୍ୟକୁ ଆଦରି ଆମେ ସେମିତି ଚାଲିବୁ ବୋଲି ଶବର କହିଛନ୍ତି।
କୋମନା ବ୍ଲକର କୁରୁମପୁରୀରେ ମଧ୍ୟ ସେହି ସମାନ ଅବସ୍ଥା। ଗ୍ରାମର ପ୍ରତି ୱାର୍ଡରୁ ପ୍ରାୟ ୪୦ରୁ ୫୦ ଜଣ ଲେଖାଏ ଦାଦନ ଯାଉଛନ୍ତି। ନିଜ ଅଞ୍ଚଳରେ କାମ ମିଳୁ ନ ଥିବାରୁ ବାହାର ରାଜ୍ୟକୁ ଦାଦନ ଯାଉଥିବା ସେଠାକାର କେତେଜଣ ବ୍ୟକ୍ତି ପ୍ରକାଶ କରିଛନ୍ତି। ସେହିପରି ମାନିଗୋଡ଼ ପଞ୍ଚାୟତର ଗନିଆରୀ ଗ୍ରାମର ରାକେଶ ଅହିର କହନ୍ତି, ଆମ ଅଞ୍ଚଳରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ସେମାନେ ଧାନଚାଷ ସହିତ କପା ଓ ମକାଚାଷ ମଧ୍ୟ କରିଥାନ୍ତି। ମାତ୍ର ଅଧିକାଂଶ ନାମମାତ୍ର ଚାଷୀ ହୋଇଥିବାରୁ ଅଭାବ ଲାଗି ରହିଥାଏ। ଘରର ଆର୍ଥିକ ସମସ୍ୟାର ସୁଧାର ଆଣିବାକୁ ଘର ଛାଡ଼ି ଦାଦନ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି। ସେହିପରି ପଲସିପାଣି ପଞ୍ଚାୟତର ବାଞ୍ଜିବାହାଲ ଗ୍ରାମର ଗୌରାଙ୍ଗ ଖରସେଲ କହିଛନ୍ତି, ସେମାନଙ୍କ ଅଞ୍ଚଳର ପିଲାମାନେ ପରିବାର ପ୍ରତିପୋଷଣ ପାଇଁ ମାଟ୍ରିକ କିମ୍ବା ଯୁକ୍ତ୨ ପାଠପଢ଼ା ପରେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। କୋନାବିରା ପଞ୍ଚାୟତ ପାଣ୍ଡେଲାହାଲି ଗ୍ରାମର ଡିଲେଶ ପଟେଲ ଓ ବହଲମୁଣ୍ଡା ଗ୍ରାମର ପ୍ରିତେଶ ହୋତା ନାମକ ଯୁକ୍ତ୨ ଛାତ୍ର ଆମ ସହିତ କଥାହେବାବେଳେ ପିଲାମାନେ ଦାଦନ ଯାଇ ସେଠାରେ ରୋଜଗାର କରି ନିଶା ଅଭ୍ୟାସ ମଧ୍ୟ କରିଦେଉଥିବା କହିଛନ୍ତି। ଫଳରେ ସେମାନେ ଘରକୁ ଆସିଲେ ଅଞ୍ଚଳରେ ଅନେକ ସମୟରେ ଚୋରି, ଡକାୟତି ଭଳି ଅସାମାଜିକ କାମରେ ମଧ୍ୟ ଲିପ୍ତ ରହୁଛନ୍ତି। ଏଭଳିସ୍ଥଳେ ଦାଦନ ସମସ୍ୟା ସମାଧାନ ପାଇଁ କେହି ଗୁରୁତ୍ୱ ନ ଦେବା ଅତ୍ୟନ୍ତ ଦୁଃଖଦ ବୋଲି ସେମାନେ କହିଛନ୍ତି।
କିଛିଦିନ ତଳେ ଜିଲାରୁ ଦାଦନ ଶ୍ରମିକ ସଂଖ୍ୟା ଦେବାଲାଗି ସ୍ଥାନୀୟ ପ୍ରଶାସନର କେତେଜଣ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ। ହେଲେ ସେହି ଅଧିକାରୀମାନେ ନିର୍ବାଚନରେ ବ୍ୟସ୍ତ ଅଛନ୍ତି, ସାରେ ତଥ୍ୟ ଦେବେ ବୋଲି କହିଥିଲେ। ପୁଣିଥରେ ସାରେ ଉକ୍ତ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରାଯିବା ପରେ ସେମାନେ ଏଭଳି ବ୍ୟସ୍ତ ଥିବାର ନାଟକ ରଚିଥିଲେ ଯେ, ସେଥିରୁ ତଥ୍ୟ ନ ଦେବାକୁ ସେମାନେ ଚାହୁଁଥିବା ବୁଝାପଡୁଥିଲା। ଅନେକ ସମୟରେ ଜିଲା ପ୍ରଶାସନ ପକ୍ଷରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ଭୁଲ ଦିଆଯାଉଥିବା ବିଷୟ ଏବେ ଆମେ ତୃଣମୂଳ ସ୍ତରକୁ ଯିବାପରେ ଅନୁଭବ କରିପାରୁଛୁ। ବୁଧବାର ଦ୍ୱିପ୍ରହର ସମୟରେ କଂଗ୍ରେସ ଦାଦନ ସମସ୍ୟା ନେଇ ଏକ ଖବରଦାତା ସମ୍ମିଳନୀ କରିଥିଲା। ଜିଲାର ଦାଦନ ଶ୍ରମିକଙ୍କ ସଂଖ୍ୟା ବଢୁଥିବା କହି ବର୍ତ୍ତମାନ ସରକାର ଉପରକୁ ଅଙ୍ଗୁଳି ଉଠାଇଥିଲା। ହେଲେ ଉକ୍ତ ଖବରଦାତା ସମ୍ମିଳନୀରୁ ଏହା ବୁଝାପଡ଼ି ନ ଥିଲା ଯେ, ନୂଆପଡା ଉପନିର୍ବାଚନରେ ଯଦି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିଜୟୀ ହୁଅନ୍ତି, ତେବେ ଦାଦନ ସମସ୍ୟା କିପରି ଦୂର ହୋଇପାରିବ। ରାଜନୀତି ସହ ସଂଶ୍ଳିଷ୍ଟ ଥିବା କୋମନା ବ୍ଲକର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସରକାର ଏବେ ଏଠାରେ ପହଞ୍ଚି ସାରିଛନ୍ତି। ଆଗକୁ ୯ ତାରିଖ ଯାଏ ସେମାନେ ଡେରା ପକାଇ ରହିବେ। ଦେଖିବାର ଅଛି ଦାଦନ ସମସ୍ୟା ଦୂର କରିବା ନେଇ ସେମାନଙ୍କ ଆନ୍ତରିକତା କେତେ ରହିଛି।
ଜିଲାର ଦାଦନ ଶ୍ରମିକଙ୍କ ସଂଖ୍ୟା ଏବଂ ଏହାର ପ୍ରତିକାର ନେଇ ଜିଲା ପ୍ରଶାସନ ପକ୍ଷରୁ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲା ଶ୍ରମ ଅଧିକାରୀ ଯସ୍ମିନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲାରେ ଜଣେ ହେଲେ ଦାଦନ ଶ୍ରମିକଙ୍କ ପଞ୍ଜୀକରଣ ହୋଇନାହିଁ। ଗତ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ୯୨ ଜଣ ଦାଦନ ସର୍ଦ୍ଦାର ପଞ୍ଜୀକରଣ କରିଛନ୍ତି। ପ୍ରତ୍ୟେକ ପଞ୍ଚାୟତ ଓ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଦନ ପଞ୍ଜୀକରଣର ବ୍ୟବସ୍ଥା ହୋଇଛି। ହେଲେ ଏଠାରେ ଶିକ୍ଷାର ଅଭାବରୁ ଶ୍ରମିକମାନେ ପଞ୍ଜୀକରଣ କରିପାରୁନାହାନ୍ତି ବୋଲି ସାହୁ କହିଛନ୍ତି। ଅର୍ଥାତ୍‌ ଜିଲା ଶ୍ରମ ଅଧିକାରୀଙ୍କ ଗୋଟିଏ କଥା ସ୍ପଷ୍ଟ କରୁଛି, ଦାଦନ ଖଟିବାକୁ ଯାଉଥିବା ବହୁ ଶ୍ରମିକ ପଞ୍ଜୀକରଣ କରିପାରୁ ନ ଥିବା ଜିଲା ପ୍ରଶାସନକୁ ଜଣାଅଛି। ହେଲେ ସେମାନେ କିପରି ପଞ୍ଜୀକରଣ କରିବେ ସେକଥା କୁହା ନ ଯାଇ, ଜାଣିଶୁଣି ଦାଦନ ଶ୍ରମିକଙ୍କ ତଥ୍ୟ ରଖାଯାଉ ନାହିଁ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri