ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ପୁରୀ ଜିଲାରେ ବାତା ‘ଜଓ୍ବାଦ’ ସ୍ଥଳଭାଗ ଛୁଇଁପାରେ। ୪ ତାରିଖ ସନ୍ଧ୍ୟା ଏବଂ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ବାତ୍ୟା ପୁଣି ସମୁଦ୍ରକୁ ଚାଲି ଯାଇପାରେ। ଯଦି ଦିଗ ବଦଳାଏ ତେବେ ସ୍ଥଳଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ। ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ। ଆଇଏମ୍‌ଡି ଆକଳନ ଅନୁସାରେ ଏପରି ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା ।

ଆସନ୍ତାକାଲି ଅପରାହ୍ନରୁ ପବନର ବେଗ ବଢ଼ିବାର ଆଶଙ୍କା କରିଛି। ତେଣୁ ଆସନ୍ତାକାଲି ଅପରାହ୍ନରୁ ୫ ତାରିଖ ସକାଳ ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି । ଏଥିସହ ବଜାରରେ ଖାଦ୍ୟ ଶସ୍ୟ ଯଥେଷ୍ଟ ମାତ୍ରାରେ ମହଜୁଦ ଅଛି। ତେଣୁ ବାତ୍ୟା ପାଇଁ ଅଯଥା ବଜାରରେ ଭିଡ଼ ନ କରି ଆବଶ୍ୟକତାଠୁ ଅଧିକ ଜିନିଷ ମହଜୁଦ୍‌ ନ କରିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି।

ସୂଚନାଯୋଗ୍ୟ, ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳରେ ବାତ୍ୟା ପହଞ୍ଚିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି ବାତ୍ୟା ।

ସୂଚନାଯୋଗ୍ୟ, ଗୋପାଳପୁରଠାରୁ ୬୭୦ ଓ ପାରାଦୀପଠୁ ୭୬୦ କିଲୋମିଟର ଦୂରରେ ରହିଛି ‘ଜଓ୍ବାଦ’। ଏହାର ପ୍ରଭାବରେ ଶନିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲାକୁ  ରେଡ ଓ୍ବାର୍ନିଂ ଦିଆଯାଇଛି। ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି।