ପିଲାଙ୍କ ଆଡ୍‌ମିଶନ ଟଙ୍କାକୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ଉମରକୋଟ, ୧୫।୧୧(ସ୍ବ.ପ୍ର.) : ଯୁକ୍ତ ୨ପାସ୍‌ ପରେ ଛାତ୍ରୀଛାତ୍ର କେଉଁ ଯୁକ୍ତ ୩ କଲେଜରେ ନାମ ଲେଖାଇବେ ତାହାର ତଥ୍ୟ ପାଇ ସେମାନଙ୍କୁ ଫସାଇ ଟଙ୍କା ନେଇଯାଉଛନ୍ତି ସାଇବର ଠକ। ନବରଙ୍ଗପୁର ଜିଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି। ସୋମବାର ନବରଙ୍ଗପୁର ଜିଲା ଉମରକୋଟରୁ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଛାତ୍ରଙ୍କ ତଥ୍ୟ ସରକାରୀ ସଂସ୍ଥା ପକ୍ଷରୁ ଲିକ୍‌ କରାଯାଉଥିବାରୁ ଏଭଳି ଅସୁବିଧା ହେଉଥିବା ନେଇ ଅନେକ ବୁଦ୍ଧିଜୀବୀ ଦାବି କରୁଛନ୍ତି। ଏହିସବୁ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତକରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ସୂଚନାନୁଯାୟୀ, ଚନ୍ଦାହାଣ୍ଡି ବ୍ଲକ ମୋତିଗାଁ ଗ୍ରାମର ଗୋକୁଳ ଚନ୍ଦ୍ର ବେସରାଙ୍କ ପୁଅ ତୁଷାରକାନ୍ତ ଗତ ୧୧ ତାରିଖରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ତେବେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସବୁ ଛାତ୍ରୀଛାତ୍ର ୩୦ ତାରିଖ ସୁଦ୍ଧା ଆଡ୍‌ମିଶନ ଫିସ୍‌ ଅନ୍‌ଲାଇନ ପୈଠ କରିବା ପାଇଁ ନିର୍ଦ୍ଦେଶ ଥିଲା। ସୋମବାର ମୋବାଇଲ ନମ୍ବର ୬୩୭୦୪୬୪୨୩୭ରୁ ତୁଷାରଙ୍କ ବାପାଙ୍କୁ ଫୋନ୍‌କଲ ଆସିଥିଲା, ଯିଏକି ନିଜକୁ କଲେଜ କର୍ମଚାରୀ ପରିଚୟ ଦେଇ ଆଡ୍‌ମିଶନ ଫି’ ଦେବାକୁ କହିଥିଲେ। ତୁରନ୍ତ ଟଙ୍କା ନ ଦେଲେ ଆଡ୍‌ମମିଶନ ରଦ୍ଦ କରାଯିବ ବୋଲି କହିଥିଲେ। ଆଡ୍‌ମିଶନ ଟଙ୍କା ୮୨୦୦ ପାଖରେ ନାହିଁ, ପାଖରେ ଥିବା ୬୫୦୦ ଟଙ୍କା ଦେଲେ ହେବ କି ବୋଲି ତୁଷାରଙ୍କ ବାପା ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଯେତିକି ହେଉଛି ଦିଅ ବାକି ଟଙ୍କା ପରେ ଦେବ ବୋଲି କହିବାରୁ ତୁଷାରଙ୍କ ବାପା ଉକ୍ତ ନମ୍ବରରେ ୬୫୦୦ଟଙ୍କା ଫୋନ୍‌ ପେ କରିଥିଲେ। ଏହାପରେ ଆଡ୍‌ମିଶନ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ଟଙ୍କା ପୈଠ କଥା କହିଥିଲେ। ଟଙ୍କା ପାଇଁ କୌଣସି କଲ୍‌ କରି ନ ଥିବା ଅଧ୍ୟାପକ ମନା କରିବା ପରେ ତୁଷାରଙ୍କ ବାପା ଉପରୋକ୍ତ ନମ୍ବରରେ କଲ୍‌ କରିଥିଲେ ମଧ୍ୟ ସେଠାରୁ କୌଣସି ଉତ୍ତର ମିଳି ନ ଥିଲା। ଅନ୍ୟ କାହାର ନମ୍ବରରୁ ଫୋନ୍‌ କଲେ ଉକ୍ତ ବ୍ୟକ୍ତି ତାହାକୁ ଉଠାଉଛନ୍ତି ସତ, ମାତ୍ର ଆଡ୍‌ମିଶନ କଥା କହିବା ମାତ୍ରେ କଲ୍‌ କାଟି ଦେଉଛନ୍ତି। ଚନ୍ଦାହାଣ୍ଡି ଥାନାକୁ ଲିଖିତ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ଥାନା ପକ୍ଷରୁ ଉମରକୋଟ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ତୁଷାର ମଙ୍ଗଳବାର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବେ। ପୁଅ ଆଡ୍‌ମିଶନ ଚିନ୍ତାରେ ଏବେ ତୁଷାରଙ୍କ ବାପା। ଛାତ୍ରୀଛାତ୍ରଙ୍କ ତଥ୍ୟ କିଭଳି ସାଇବର ଠକଙ୍କ ହାତକୁ ଯାଉଛି ତାହାର ତଦନ୍ତ ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ୩ ମାସ ତଳେ ଉମରକୋଟ ବ୍ଲକ ଅଧୀନ କାରାଗାଁର ଜଣେ ଛାତ୍ର ଅନୁରୂପ ଠକାମିର ଶିକାର ହୋଇଥିବାବେଳେ ଏହା ହେଉଛି ଦ୍ୱିତୀୟ ଘଟଣା। ବାରମ୍ବାର ଏପରି ଘଟୁଛି। ଦୋଷୀ ଧରା ନ ପଡ଼ିବାରୁ ସାଇବର ଠକଙ୍କ ସାହସ ବଢ଼ୁଛି। ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ।