ଗଞ୍ଜାମରେ କଟକ, ଭୁବନେଶ୍ୱର ବସ୍‌ କଡ଼ାକଡ଼ି ଯାଞ୍ଚ; ଯାତ୍ରୀ ମାସ୍କ ପିନ୍ଧି ନ ଥିଲେ ଜରିମାନା ଦେବେ ମାଲିକ: ଜିଲାପାଳ

ଛତ୍ରପୁର,୧୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କଟକ, ଭୁବନେଶ୍ୱର ଆଦି ବସ୍‌କୁ ଅଟକାଯାଇ ଯାଞ୍ଚ କରାଯାଉଛି। ଯାତ୍ରୀମାନେ ମାସ୍କ ପିନ୍ଧୁଛନ୍ତି କି ନାହିଁ, ସାମାଜିକ ଦୂରତା, ସାନିଟାଇଜର ଅଛି କି ନାହିଁ ତା’ର କଡ଼ାକଡ଼ି ଯାଞ୍ଚ ହେଉଛି। କାରଣ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଗୁରୁବାର ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ଭଞ୍ଜନଗର ତହସିଲ ଅଞ୍ଚଳରେ ତହସିଲ ଓ ଆରଟିଓ ଅଫିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ବସ୍‌, ଅଟୋରେ ଯାଞ୍ଚ କରାଯାଉଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲାର ଲୋକ ଅନ୍ୟ ଜିଲା କିମ୍ବା ଅନ୍ୟ ରାଜ୍ୟର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇପାରନ୍ତି। ଏଥିପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି। ବସ୍‌ଗୁଡ଼ିକରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ପୋଷ୍ଟର ଲଗାଇବା ବାଧ୍ୟତାମୂଳକ ରହିଛି। ମାସ୍କ ନ ଥିଲେ ଯାତ୍ରୀଙ୍କୁ ଗଞ୍ଜାମ ଜିଲାକୁ ପ୍ରବେଶ ମନା ନେଇ ଜିଲାପାଳ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ଯେଉଁ ବସ୍‌ରେ ଯାତ୍ରୀମାନେ ମାସ୍କ ନ ପିନ୍ଧି ଯାତ୍ରା କରୁଥିବା ନଜରକୁ ଆସିବେ ସେହି ବସ୍‌ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ। ଏପରିକି ବସ୍‌ଗୁଡିକରେ ଷ୍ଟାଫ୍‌ମାନଙ୍କ ନିମନ୍ତେ ସାନିଟାଇଜର୍‌ ରଖିବା ଜରୁରୀ ବୋଲି ଜିଲାପାଳ କହିଛନ୍ତି। ଯାଞ୍ଚ ସହ ଏମ୍‌ଭି ଟିକସ, ବସ୍‌ ଟିକସ, ପରମିଟ୍‌ ଫି’ ଆଦାୟ ସହ ଇଣ୍ଟର ଷ୍ଟେଟ୍‌ ପରମିଟ୍‌ ଦିଆଯାଉଛି। ରାଜ୍ୟ ପରିବହନ କମିଶନରଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି। ଖିଲାପୀଙ୍କଠାରୁ ଜରିମାନା ଆଦାୟ ସହ ବସ୍‌ ଜବତ, ମାମଲା ରୁଜୁ କରାଯାଉଛି।