୫ ଏକର ପରିମିତ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟିନେଲେ ମାଫିଆ

ପାଟଣା,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ତଣ୍ଡବିଟ ଅଧୀନ ପିଛୁଳା ବେଡ଼ା ଗ୍ରାମ ତଳସାହିଠାରୁ ୨ କିଲୋମିଟର ଦୂରରେ ଥିବା ଜଙ୍ଗଲରେ ୫ ଶହରୁ ଊଦ୍ଧର୍‌ବ ଶାଳ, ଧଳା, ମହୁଲ,କୁସୁମ,ଜାମୁ ଆଦି ମୂଲ୍ୟବାନ ଗଛଗୁଡ଼ିକୁ ଜଙ୍ଗଲ ମାଫିଆମାନେ କାଟି ସଫା କରି ପକାଇଥିବା ଦେଖିବାକୁ ମିଳିଛି। ଏହି ସବୁ କଟାଯାଇଥିବା ଗଛ ମଧ୍ୟରେ ୭୦ ପ୍ରତିଶତ ରହିଛି ଶାଳଗଛ। କେଉଁ ଉଦ୍ଦେଶ୍ୟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ପାଖାପାଖି ୫ ଏକର ପରିମିତ ଜଙ୍ଗଲ କାଟି କିଏ ସଫା କରିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ସଂରକ୍ଷିତ ଜଙ୍ଗଲରେ ଏଭଳି ବେଧଡ଼କ ଗଛକଟା ପଛରେ କାହାର ହାତ ରହିଛି ତାହା ତଦନ୍ତସାପେକ୍ଷ। ଏକକାଳୀନ ଏତେଗୁଡିଏ କଟା ଚାଲିଥିବାବେଳେ ବନ ବିଭାଗ ଏନେଇ ସାମାନ୍ୟ ସୁରାକ କିଭଳି ପାଇପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ଲୋକ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଶହଶହ ଗଛ କଟାଯାଇଥିବା ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଏସବୁ ଗଛ କିଏ କାହିଁକି କାଟିଛି ସେନେଇ ସ୍ଥାନୀୟ ଲୋକେ ମୁହଁ ଖୋଲୁ ନ ଥିବା ବେଳେ ଗ୍ରାମର ଜଙ୍ଗଲ କମିଟି ସଦସ୍ୟ ପ୍ରତାପ ମହାକୁଡ଼ ଏହା ପଛରେ ପ୍ରଭାବଶାଳୀ ଲୋକଙ୍କ ହାତ ରହିଥିବା ସନ୍ଦେହ କରିବା ସହ ଦୋଷୀକୁ ଧରି ଦଣ୍ଡ ଦେବାକୁ ଦାବି କରିଛନ୍ତି। ସେଭଳି ଉକ୍ତ ଗ୍ରାମର ଯୁବକ ରାଜେନ୍ଦ୍ର ମହାକୁଡ଼ ଜଙ୍ଗଲ ଆମ ଜୀବନ ଜୀବିକା ସହ ଜଡ଼ିତ। ଜଙ୍ଗଲରୁ ଆମେ ଦାନ୍ତକାଠି, ଶାଳପତ୍ର, ମହୁଲ, କାଠ ଓ ଝୁଣା ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାଉ। ଯିଏ ଏହି ଜଙ୍ଗଲ ଧ୍ୱଂସ ପଛରେ ରହିଛି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ଏନେଇ ଡିଏଫ୍‌ଓ ଅଜିତ ଶତପଥୀଙ୍କୁ ପଚାରିବାରୁ ତଦନ୍ତ କରିବା ପରେ ଯାହା କିଛି କହିପାରିବି ବୋଲି କହିଛନ୍ତି।