କଟାଗଲା ୪୫୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି ୩୮ ଏକର ଜମିରେ ପ୍ରାୟ ୪୫୦୦୦ ଗଞ୍ଜେଇ ଗଛ କାଟି ନଷ୍ଟ କରିଛନ୍ତି। ଯାହାକି ପୋଲିସ ଦ୍ୱାରା ସ୍ବାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ଗଞ୍ଜେଇ ଗଛ କାଟି ନଷ୍ଟ କରିବା ପ୍ରୟାସ ଆରମ୍ଭ ହୋଇଛି। ଦୀର୍ଘ ଦିନ ଧରି ସ୍ବାଭିମାନ ଅଞ୍ଚଳରୁ ଗଞ୍ଜେଇ ଚାଷ ରୋକିବା ଏକ ଚ୍ୟାଲେଞ୍ଜ ଥିଲା ମାତ୍ର ଆଜି ତାହା ଧିରେ ଧିରେ ସଫଳ ହେବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଆଉ କିଛି ଦିନ ଗଲେ ଗଞ୍ଜେଇ ଅମଳ ହେବ। ଏହା ପୂର୍ବରୁ ଏହି ଗଞ୍ଜେଇ ଗଛକୁ ମୂଳପୋଛ କରିବାକୁ ଅଣ୍ଟା ଭିଡ଼ିଲେନି ଜିଲା ପ୍ରଶାସନ, ପୋଲିସ ବିଭାଗ,ଅବକାରୀ ବିଭାଗ। ଚିତ୍ରକୋଣ୍ଡା ଏସ୍‌ଡିପି ଓ ଆଲେକସିଅସ୍‌ କିସପୋଟାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଥାନାଧିକାରୀ ଅନିଲ ପରିଡ଼ା, ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି, ଅବକାରୀ ବିଭାଗ, ଡିଭିଏଫ୍‌ ମିଳିତ ଭାବେ ଅପରେଶନ କରି ରାଲେଗଡ଼ା ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉ ସମୟରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଭାବରେ ଚିତ୍ରକୋଣ୍ଡା ଆଡିଶନାଲ ତହସିଲଦାର ଅଶୋକ କୁମାର ମୁଦୁଲି ଉପସ୍ଥିତ ଥିଲେ।