କେସିଙ୍ଗା,୮।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ନଗରରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଏମପିଏଲ କ୍ରିକେଟ୍ ଟୁର୍ନାମେଣ୍ଟ ସ୍ଥାନୀୟ ପିଏମଶ୍ରୀ ବିଦ୍ୟାପୀଠ ଖେଳ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏହି କ୍ରିକେଟ ଖେଳ ଶନିବାର, ରବିବାର ଦୁଇ ଦିନ ଧରି ରାତିରେ ଖେଳାଯାଇଛି। ସହରର କ୍ରିକେଟ୍ ପ୍ରେମୀ ଓ ଯୁବ ଖେଳାଳିମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। କେସିଙ୍ଗାରେ ପ୍ରଥମ ଥର ପାଇଁ ରାତ୍ରି ମ୍ୟାଚ୍ ଆୟୋଜନ ହୋଇଥିବାରୁ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଆଗ୍ରହ ଦେଖାଯାଇଥିଲା। ମ୍ୟାଚକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଗୋଟିଏ ଟିମରେ ୭ ଜଣ ଖେଳାଳିଙ୍କୁ ନେଇ ଖେଳା ଯାଇଥିଲା । ଦୁଇ ଦିନ ମଧ୍ୟରେ ମୋଟ ୮୪ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି।
ମାରୱାଡି ଯୁବ ମଞ୍ଚ କୋର କମିଟିର ସଭାପତି ବିକାଶ ଚନ୍ଦ୍ର ଅଗ୍ରୱାଲ ଓ ସମ୍ପାଦକ ନିଖିଳ ଅଗ୍ରୱାଲ, ଅରମାନ ଅଗ୍ରୱାଲ, ବିବେକ ଜୈନ, ବିଶାଲ ଜୈନ, ପିୟୁଷ ସୋନି,କେଶବ ଶର୍ମା, ଧିରାଜ ଅଗ୍ରୱାଲ ସହ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ଆଜି ମହିଳା ଦିବସ ଉପଲକ୍ଷେ ଯୁବା ମଞ୍ଚ ପକ୍ଷରୁ ମହିଳା ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇ ଥିଲା। ଆଜିର ଖେଳ ରାତ୍ର ୨ଟା ଯାଏ ଚାଲିବ ବୋଲି ଅନୁଷ୍ଠାନର ସଭାପତି କହିଛନ୍ତି । ଯୁବମାନଙ୍କ ମଧ୍ୟରେ ଲୁକାୟିତ ଥିବା କ୍ରିଡା ପ୍ରତିଭାକୁ ବିକାଶ କରିବାର ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଛି ।
ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ଅଗ୍ରୱାଲ ସଭାର ସଭାପତି ରାମ କୁମାର ଜୈନ, କାଳୁ ଜୈନ, ସନପାଳ ବର୍ମା, ସୌରଶକ୍ତି ପରିଚାଳକ ଯସ ଅଗ୍ରୱାଲ ଯୋଗଦାନ କରିଥିଲେ । ମାରୱାଡି ଯୁବ ମଞ୍ଚର ଏହି ପ୍ରୟାସ କେସିଙ୍ଗାରେ କ୍ରିକେଟ୍ ଖେଳକୁ ନୂଆ ଦିଗ ଦେବା ସହ ଯୁବମାନଙ୍କ ପ୍ରତିଭାକୁ ଅଗ୍ରଗତି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

