ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ କରିଥିବା, ବ୍ରହ୍ମା ପଦ୍ମ ଉପରେ ବସିଥିବା ଏବଂ ଶିବ ନୃତ୍ୟ କରିବା ସମୟରେ ବ୍ରହ୍ମାଣ୍ଡ ରଚନା କରିବା କଥା ଆମେ ବଖାଣୁ। କିନ୍ତୁ ଭାରତ କହିଲେ କେବଳ ବେଦ କିମ୍ୱା ପୁରାଣ ନୁହେଁ। ଜଗତ ସୃଷ୍ଟିକୁ ନେଇ ଭାରତରେ ମଧ୍ୟ ଭିଲ୍, ଗୋଣ୍ଡ, ସାନ୍ତାଳ, ଖାସି, ବଞ୍ଜରା, ଢଙ୍ଗର, କୋଲି, ଟୋଡା, ରାବରି, ନିକୋବରିଜ୍ ଏବଂ ଲିପ୍ଚା ସମ୍ପ୍ରଦାୟଗୁଡ଼ିକରେ ସେମାନଙ୍କ ନିଜସ୍ମ ସ୍ମୃତି ରହିଛି। ପଶ୍ଚିମ ଭାରତର ଭିଲ୍ ଆଦିବାସୀଙ୍କ ମତରେ, ସେମାନଙ୍କ ପୂଜ୍ୟ ଦେବୀ ବାବୋ ପିଥୋରା ଦୁଇ ଭାଗରେ ବିଭକ୍ତ ହୋଇ ପ୍ରାଚୀନ ମହାସାଗର ଓ କାଦୁଅ ସୃଷ୍ଟି ହେଲା। ଏହି କାଦୁଅରୁ ଜନ୍ମ ନେଲା ପୃଥିବୀ। ବାବୋ ଓ ରାଣୀ କାଜଲ ପୃଥିବୀକୁ ସଜେଇଥିଲେ ଏବଂ ଏଥିେରେ ରଙ୍ଗ ଓ ଜୀବନ ଭରି ଦେଇଥିଲେ। ଏବେ ମଧ୍ୟ ଭିଲ୍ଙ୍କ ଘରେ ପିଥୋର ଚିତ୍ରକଳା ଓ କର୍ମକ୍ରିୟା ଭିତ୍ତିଚିତ୍ର ଦେଖିବାକୁ ମିଳେ, ଯାହା ସୃଷ୍ଟିର ପ୍ରଥମ କ୍ଷଣର ପୁନଃ ସର୍ଜନାକୁ ସ୍ମରଣ କରାଇଦିଏ। ଏଠାରେ ସୃଷ୍ଟି ହେଉଛି ଚିତ୍ରକଳା ଓ ଈଶ୍ୱର ହେଉଛନ୍ତି ଚିତ୍ରଶିଳ୍ପୀ।
ଗୋଣ୍ଡ କହନ୍ତି ଯେ, ଭଗବାନ୍ ହେଉଛନ୍ତି ବଡ଼ ସ୍ରଷ୍ଟା। ସେ ପାଣିତଳୁ କାଦୁଅ ଆଣିବା ପାଇଁ ଗୋଟିଏ ଜିଆକୁ ପଠାଇଲେ। ତା’ପରେ ପ୍ରଥମ କବି ଲିଙ୍ଗୋ ଆସିଲେ, ଯିଏ ଗୀତ ଗାଇ ପୃଥିବୀକୁ ସାଂସ୍କୃତିକ ରୂପ ଦେବାକୁ ଲାଗିଲେ। ଏହି ସିଦ୍ଧାନ୍ତ ସୂଚିତ କରୁଛି, କେହି ଜଣେ ନ ଗାଇବା ପର୍ଯ୍ୟନ୍ତ ସୃଷ୍ଟି ସମ୍ପୂର୍ଣ୍ଣ ହେବ ନାହିଁ। କାଦୁଅ ଓ ପାଣି ଯାହା ଆରମ୍ଭ କରିଥିଲେ, ସଙ୍ଗୀତ ଏବଂ କର୍ମକ୍ରିୟା ତାହାକୁ ଶେଷ ରୂପ ଦେଇଛନ୍ତି। ଏହା ସ୍ମରଣ କରାଇଦିଏ ଯେ, ସଭ୍ୟତା କେବଳ ଗଢ଼ିବା ପାଇଁ ନୁହେଁ, ବରଂ ଏହା ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ।
ଝାଡ଼ଖଣ୍ଡର ସାନ୍ତାଳମାନେ ଠାକୁର ଜିଉ କଥା କହନ୍ତି, ଯିଏ ପ୍ରଥମ ଦମ୍ପତି ପିଲଛୁ ହାରାମ ଓ ପିଲଛୁ ବୁଢ଼ିକୁ ଏକ ପର୍ୱତ ଶିଖରରେ ଅବସ୍ଥାପିତ କରିଥିଲେ, ଯେତେବେଳେ ପୃଥିବୀରେ ପାଣି ଓ ଆକାଶ ହିଁ ଥିଲା। ଗୋଟିଏ ନେଉଳ କାଦୁଅ ଆଣି ଭୂଭାଗ ତିଆରି କଲା ଏବଂ ସେହି ଦମ୍ପତିଙ୍କ ପିଲାମାନେ ପୃଥିବୀରେ ଜନସଂଖ୍ୟା ବୃଦ୍ଧି କଲେ। ସାନ୍ତାଳ ପୁରାଣ ବଂଶାବଳୀ ସହ ପରିବାରର ସମ୍ପର୍କକୁ ଦର୍ଶାଏ। ଏହା ଦେବଦେବୀଙ୍କ ବିଷୟରେ କିଛି ନ କହି ବରଂ ମାତାପିତା ଓ ପିଲାଙ୍କ ସମ୍ପର୍କରେ କହିଛି, ଯାହାକୁ ଏକ ପାରିବାରିକ କାହାଣୀ ବୋଲି କୁହାଯାଇପାରେ। ମେଘାଳୟର ଖାସି ଆଦିବସୀ ଭାବନ୍ତି ଯେ, ସବୁ ମଣିଷ ସ୍ୱର୍ଗରେ ବାସ କରୁଥିଲେ। ସେମାନେ ଏକ ଦିବ୍ୟ ବିଶାଳ ବୃକ୍ଷ ଦ୍ୱାରା ପୃଥିବୀକୁ ଅବତରଣ କରିଥିଲେ। କିନ୍ତୁ ଗୋଟିଏ ଦିନ ସେହି ଗଛକୁ କାଟି ଦିଆଗଲା। ଫଳରେ ସ୍ୱର୍ଗରୁ ପୃଥିବୀକୁ ବାଟ ସବୁଦିନ ପାଇଁ ବନ୍ଦ ହୋଇଗଲା। ଖାସି ପୁରାଣ କଥା କେବଳ ପୃଥିବୀ କେମିତି ତିଆରି ହେଲା ତାହା ଦର୍ଶାଇ ନାହିଁ, ବରଂ ଆମେ କାହିଁକି ଦିବ୍ୟତା ବା ସ୍ୱର୍ଗରୁ ବିଚ୍ଛିନ୍ନ ହେଲୁ ତାହା ସେଥିରୁ ଅନୁଭବ କରୁ। ସୃଷ୍ଟି କେବଳ ଆରମ୍ଭ ନୁହେଁ; ଏହା ମଧ୍ୟ ଏକ କ୍ଷତି ବୋଲି ଖାସି ପୁରାଣ ସୂଚିତ କରେ।
ବଞ୍ଜାରାମାନେ ସେବଲାଲ ମହାରାଜା କଥା କହନ୍ତି। ବିଶ୍ୱ ଯେତେବେଳେ ଜଳରେ ପରିପୂର୍ଣ୍ଣ ଥିଲା, ସେତେବେଳେ ସେ ଭୂମି ପାଇଁ କହିଥିଲେ। ଗୋଟିଏ ମାଛ ଓ କଇଁଛ କାଦୁଅ ଆଣିଥିଲେ, ଯେଉଁଥିରେ ପୃଥିବୀ ସୃଷ୍ଟି ହୋଇଥିଲା। ସେତେବେଳେ କେମିତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାାନକୁ ଯାଇ ରୋଷେଇ ଓ ବ୍ୟବସାୟ କରିବାକୁ ହେବ, ତାହା ସେମାନଙ୍କୁ ଶିକ୍ଷା ଦେଇଥିଲେ। ଏଠାରେ ସୃଷ୍ଟି ଜୀବନଜୀବିକା ସହ ଜଡ଼ିତ। ପୃଥିବୀ ବିଷୟରେ ବ୍ୟାଖ୍ୟା କରିବା କେବଳ ପୁରାଣର ଲକ୍ଷ୍ୟ ନୁହେଁ, ବରଂ ବଞ୍ଜାରାମାନେ କାହିଁକି ସବୁଦିନ ପାଇଁ ଯାଯାବର ଭାବେ ବୁଲୁଛନ୍ତି, ତାହା ଦର୍ଶାଇଛି।
ମହାରାଷ୍ଟ୍ରର ମେଷପାଳକ ଧନ୍ଗରମାନେ ବିଶ୍ୱାସ କରନ୍ତି ଯେ, ପୃଥିବୀରେ ଯେତେବେଳେ କେହି ନ ଥିଲେ, ସେତେବେଳେ ଈଶ୍ୱର ପ୍ରଥମେ ମେଷ ସୃଷ୍ଟି କରିଥିଲେ। ତା’ପରେ ସେମାନଙ୍କୁ ପାଳିବା ସକାଶେ ଗୋଟିଏ ପୁରୁଷ ସୃଷ୍ଟି ହେବା ପରେ ତାଙ୍କୁ କାମରେ ସହଯୋଗ କରିବା ପାଇଁ ମହିଳାଙ୍କୁ ସୃଷ୍ଟି କରାଯାଇଥିଲା। ସେମାନଙ୍କ ସାତ ପୁଅ ସାତଟି ଧନଗର ପରିବାର ହୋଇଗଲେ। ଏଠାରେ ସୃଷ୍ଟି କହିଲେ ମେଷପାଳକ। ଏଠାରେ ଛେଳିମେଣ୍ଢା ପାଳନ ସହ ଜଡ଼ିତ ହୋଇଛି ପୃଥିବୀ। ପଶ୍ଚିମ ଉପକୂଳ ଅଞ୍ଚଳରେ ରହୁଥିବା କୋଲି ସମ୍ପ୍ରଦାୟର ଲୋକେ କହନ୍ତି, ସେମାନେ ମାଛ ଅଣ୍ଡାରୁ ଜନ୍ମ ହୋଇଛନ୍ତି। ଭୂପୃଷ୍ଠରେ ବଞ୍ଚତ୍ ରହିବା ଲାଗି ମା’ ରୂପୀ ମହାସାଗର ସେମାନଙ୍କୁ ଗୋଡ଼ ଦେଇଥିଲେ, କିନ୍ତୁ ହୃଦୟ ସାମଗର ସହିତ ଜଡ଼ିତ ରହିଥିଲା। ନୀଳଗିରିର ଟୋଡାମାନେ କହନ୍ତି, ମଣିଷ ପୂର୍ୱରୁ ମଇଁଷି ଆସିଥିଲେ। ମଇଁଷିଙ୍କ ଯତ୍ନ ନେଇ ସେମାନଙ୍କ କ୍ଷୀର ଧାର୍ମିକ କର୍ମକାଣ୍ଡରେ ସମର୍ପଣ କରିବା ସକାଶେ ମଣିଷଙ୍କୁ ସୃଷ୍ଟି କରାଯାଇଥିଲା। କଚ୍ଛରେ ରହୁଥିବା ରବାରି ସମ୍ପ୍ରଦାୟର ଲୋକଙ୍କ ମତରେ, ମରୁଭୂମିର ମାଟିରୁ ପାର୍ୱତୀ ଓଟ ସୃଷ୍ଟି କରି ଶିବଙ୍କୁ ଜୀବନ ଦେବା ଲାଗି କହିଥିଲେ। ତା’ପରେ ମରୁଭୂମିରେ ଓଟମାନଙ୍କୁ ବାଟ ଦେଖାଇବା ଲାଗି ରବାରିମାନେ ଆସିଥିଲେ।
ପ୍ରତ୍ୟେକ ପୁରାଣ କଥା ତାହାର ଭୂଗୋଳକୁ ପରିପ୍ରକାଶ କରିଛି। ସମୁଦ୍ର ପୌରାଣିକ କଥା ଆମକୁ ମହାସାଗର ସନ୍ତାନ କରିଦେଇଛି। ପର୍ୱତର ପୁରାଣ କଥା ଆମକୁ ମଇଁଷି ପାଳକ କରିଛି। ମରୁଭୂମି ପୁରାଣ କଥା ଆମକୁ ଓଟଙ୍କ ପଥପ୍ରଦର୍ଶକ କରିଦେଇଛି। ନଦୀ ପୌରାଣିକ କାହାଣୀ, ଯାହା ମୁଣ୍ଡାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ, ତାହା ସିଙ୍ଗବୋଙ୍ଗାଙ୍କ କଥା କହେ। ମଣିଷ, ନଦୀ ଓ ଜଙ୍ଗଲ ଦୃଶ୍ୟମାନ ହେବା ଲାଗି ସିଙ୍ଗବୋଙ୍ଗା ଦିବ୍ୟ ମହାସାଗରରୁ ପୃଥିବୀକୁ ବାହାର କରି ଆଣିବା ପାଇଁ ପକ୍ଷୀମାନଙ୍କୁ ପଠାଇଥିଲେ। ନିକୋବରିଜଙ୍କ କାହାଣୀ କହେ, ଏକ ବିରାଟ କଙ୍କଡ଼ା ମାଟିକୁ ମହାସାଗରରୁ ବାହାରକୁ ଆଣିଥିଲା ଏବଂ ମଣିଷମାନେ ପ୍ରଥମ ବୃକ୍ଷର କୋମଳ କାଠରେ ଗଢ଼ାଯାଇଥିଲା। ସିକିମ୍ର ଲିପ୍ଛା ଆଦିବାସୀମାନେ ପୁରାଣ କଥା ଅନୁଯାୟୀ, କାଞ୍ଚନଜଙ୍ଗା ହେଉଛି ପ୍ରଥମ ପର୍ୱତ। ଏଠାରୁ ବରଫ ତରଳି ପ୍ରଥମେ ନଦୀ ସୃଷ୍ଟି ହୋଇଥିଲା ଏବଂ ମଣିଷ ସୃଷ୍ଟି କରାଯିବା ଲାଗି ଏହି ପର୍ୱତର ମାଟି ବ୍ୟବହାର ହୋଇଥିଲା।
ଏହିସବୁ ପୌରାଣିକ କଥା କେବଳ ବ୍ରହ୍ମାଣ୍ଡ ସମ୍ପର୍କିତ ନୁହେଁ, ବରଂ ଏଗୁଡ଼ିକ ପରିସଂସ୍ଥା ବା ପରିବେଶଗତ ବିଷୟକୁ ଦର୍ଶାଇଛି। ସମୁଦ୍ର, ଜଙ୍ଗଲ, ନଦୀ, ପର୍ୱତ ଓ ମରୁଭୂମିକୁ ସମ୍ମାନ ଦେବା ଲାଗି ଏହି ପୌରାଣିକ କଥାଗୁଡ଼ିକ ଆମକୁ ଶିକ୍ଷା ଦେଇଛି। ମାଛ, ପକ୍ଷୀ, ମଇଁଷି ଓ ଓଟ ଭଳି ପ୍ରାଣୀଙ୍କ ସହିତ ମଣିଷର ସମ୍ପର୍କକୁ ଦର୍ଶାଇଛି। ଏହା ସହ ରଙ୍ଗ କରିବା, ଗାଇବା, ପଶୁପାଳନ ଏବଂ ବ୍ୟବସାୟ ସହିତ ମଣିଷର ସମ୍ପର୍କକୁ ସୂଚିତ କରିଛି। ହେଲେ ବ୍ରାହ୍ମଣୀୟ ପୁରାଣଗୁଡ଼ିକ ଅନୁଯାୟୀ ଯଜ୍ଞ ଓ ସମର୍ପଣ ପାଇଁ ଜଗତର ସୃଷ୍ଟି ହୋଇଛି। ଆଦିବାସୀଙ୍କ ପୌରାଣିକ କଥାମାନଙ୍କରେ କୁହାଯାଇଛି ଯେ, ପରିବେଶ ସହ ପ୍ରାଣୀଙ୍କ ପାରସ୍ପରିକ ସମ୍ପର୍କ ପାଇଁ ଜଗତ ସୃଷ୍ଟି ହୋଇଛି। ଜଗତର ସୃଷ୍ଟିକୁ ନେଇ ଏହିସବୁ କାହାଣୀଗୁଡ଼ିକରୁ ଆମେ ଗୋଟିଏ ସତ୍ୟ ନୁହେଁ, ଅନେକ ସତ୍ୟ ଥିବା ଜାଣିବାକୁ ପାଉ।
-devduttofficial@gmail.com

