୩ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ

ବୁଗୁଡ଼ା,୨୪ା୧୦(ଡି.ଏନ୍‌.ଏ.): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ଫାଟି ଆଁ ହୋଇଗଲାଣି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବୁଗୁଡ଼ା ବୁଦ୍ଧଖୋଲ ରାସ୍ତାଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାରେ। ୨୦୧୮ ମସିହାରେ ସମୁଦାୟ ୧ କିମି ୨୮୦ ମିଟର ବିଶିଷ୍ଟ ରାସ୍ତା ପାଇଁ ୪୬ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ କରାଯାଇ ୨୦୧୯ରେ କାର୍ଯ୍ୟ ଶେଷ ହୋଇଥିଲା। ତେବେ ଦୀର୍ଘ ଦିନ ହେଲା ଏହି ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଫଳରେ ସ୍କୁଲ, କଲେଜକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ସମେତ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଖରାପ ରାସ୍ତା ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି। ୨୦୨୪ ପର୍ଯ୍ୟନ୍ତ ମରାମତି ଦାୟିତ୍ୱ ସମ୍ପୃକ୍ତ ଠିକାଦାରର ହୋଇଥିଲେ ହେଁ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ଜଣାପଡ଼ିଛି। ଦୀର୍ଘ ୨ ବର୍ଷ ହେଲା ଏଠାରେ କୌଣସି ସ୍ଥାୟୀ ଯନ୍ତ୍ରୀ ନ ଥିବା ବେଳେ ବୁଗୁଡ଼ା ନିକଟ ଷୋଳମାଇଲିଠାରେ ଥିବା ବିଭଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତ କୋଠି ପାଲଟି ଗଲାଣି। ପୁରୁଷୋତ୍ତମପୁର ଯନ୍ତ୍ରୀ ବୁଗୁଡ଼ା ଅତିରିକ୍ତ ଦାୟିତ୍ୱରେ ଥିବା ବେଳେ ଦୀର୍ଘଦିନ ହେଲା ଯନ୍ତ୍ରୀଙ୍କ ଦେଖା ମିଳୁ ନ ଥିବାରୁ ଲୋକେ କାହାକୁ ଅଭିଯୋଗ କରିବେ ଜାଣି ପାରୁନାହାନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଲୋକନାଥ ନାୟକଙ୍କୁ ପଚରା ଯିବାରେ ସମ୍ପୃକ୍ତ ଠିକାଦାରଙ୍କୁ ମରାମତି ପାଇଁ ଚିଠି ହୋଇଛି ଯଦି ସେ ନ କରନ୍ତି ତା’ହେଲେ ତାଙ୍କର ସିକ୍ୟୁରିଟି ଟଙ୍କାରୁ ମରାମତି କାର୍ଯ୍ୟ କରାଯିବ। ତେବେ ରାସ୍ତା ମରାମତି କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।