ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ ଘର ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଗ୍ରାମର ଉଆଳି ଗୌଡ଼ଙ୍କ ୨ଟି ବଳଦ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅପରାହ୍ନ ପ୍ରାୟ ୧ ଟାରେ ଉଆଳି ତାଙ୍କ ବଳଦ ଦୁଇଟିକୁ ଗୁହାଳରେ ବାନ୍ଧି ନିକଟସ୍ଥ କଇଠଖଣ୍ଡି ଗ୍ରାମକୁ ଭୋଜି ଖାଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗୁହାଳରେ ନିଆଁ ଲାଗି ପାଖରେ ଥିବା ଲକ୍ଷ୍ମୀ ଗୈାଡ ଏବଂ ନରହରି ଗୈାଡଙ୍କ ଗୁହାଳକୁ ବ୍ୟାପି ଯାଇଥିଲା ।
ତେବେ ନିଆଁ କିପରି ଲାଗିଲା ସେନେଇ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଗ୍ରାମବାସୀଙ୍କ ଚେଷ୍ଟାରେ ଲକ୍ଷ୍ମୀ ଓ ନରହରିଙ୍କ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । କିନ୍ତୁ ନିଆଁର ପ୍ରକୋପରୁ ଉଆଳିଙ୍କ ବଳଦ ଦୁଇଟି ଉଦ୍ଧାର କରାଯାଇ ପାରିନଥିଲା। ସରପଞ୍ଚ ମନୋରଞ୍ଜନ ଗୌଡ଼ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ରାଜସ୍ବ ନୀରିକ୍ଷକ ରାମପ୍ରସାଦ ସାହୁ ଏବଂ ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀ ବୃନ୍ଦ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛନ୍ତି। ଉଆଳି ଗୌଡ଼ କିଛିଦିନ ପୂର୍ବେ ବଳଦ ଦୁଇଟିକୁ ୪୦ ହଜାର ଟଙ୍କା ରେ କିଣିଥିବା ବେଳେ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଗ୍ରାମବାସୀ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଏବଂ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

