ପ୍ରୟାଗରାଜ, ୧୮।୪ (ପି.ଟି.):ମା’ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରୁଥିବା ପ୍ରେମୀଯୁଗଳ ପୋଲିସ ସୁରକ୍ଷା ନେଇ ଦାବି କରିପାରିବେ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଗୁରୁବାର କହିଛନ୍ତି। ଏକ ପ୍ରେମୀଯୁଗଳଙ୍କ ପକ୍ଷରୁ ସୁରକ୍ଷା ଦାବି ଆବେଦନର ଶୁଣାଣି କରି ଜଷ୍ଟିସ୍ ସୌରଭ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ କହିଛନ୍ତି, ପରିବାରର ଇଚ୍ଛା ବିରୋଧରେ ଯାଇ ବିବାହ କରୁଥିବା ପ୍ରେମୀଯୁଗଳଙ୍କର ପୋଲିସ ସୁରକ୍ଷା ପାଇବାର ଅଧିକାର ନାହିଁ। କେବଳ ସେମାନଙ୍କ ଜୀବନ ବିପଦରେ ଥିବା ସମୟରେ କିମ୍ବା ସେମାନଙ୍କ ସ୍ବାଧୀନତା ପ୍ରତି ବିପଦ ଥିବା ସମୟରେ ହିଁ ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ବିଭିନ୍ନ ଦଲିଲ ଏବଂ ବୟାନକୁ ଯାଞ୍ଚ କରିବା ପରେ ପ୍ରେମୀଯୁଗଳଙ୍କୁ କୌଣସି ଗୁରୁତର ବିପଦ ନ ଥିବା କୋର୍ଟ ଅନୁଭବ କରିଥିଲେ। ତେଣୁ ଉଚ୍ଚ ଅଦାଲତ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।


