ଖିଅ ଖୋଜୁଛି ପୋଲିସ

ବଡ଼ବିଲ,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅଧୀନ ଲସର୍ଦା ଗ୍ରାମରେ ସୋମବାର ରାତି ୮ଟା ୩୦ରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ସନ୍ଦେହରେ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ହତ୍ୟାକାଣ୍ଡ ପଛରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକଙ୍କ ହାତ ରହିଥିବା ଆଶଙ୍କା କରାଯାଇଛି।
ସୂଚନା ଅନୁଯାୟୀ, ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲସର୍ଦା ଗ୍ରାମରେ ଥିବା ଏକ ତେଜରାତି ଦୋକାନରେ ପଶି ଲକ୍ଷ୍ମୀଧର ଆପଟ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରୁ ତାଙ୍କ ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଲକ୍ଷ୍ମୀଧରଙ୍କ ଛାତି, ମୁଣ୍ଡ ଓ ସ୍ତ୍ରୀ ମଞ୍ଜୁଲତାଙ୍କ ପେଟରେ ଗୁଳି ବାଜିଛି। ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥଲେ। ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୋଲିସ ଏକ ମାମଲା (ନଂ.୬୯/୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ଜ୍ୟାକେଟ, ଜୋତା, ଟୋପି ଓ ପାଚେରି ନିକଟରେ ଏକ ଦାଉଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର କେନ୍ଦୁଝର ଜିଲା ପୋଲିସ ମୁଖ୍ୟାଳୟରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରି ଯାଞ୍ଚ କରୁଥିବା ଜଣାପଡିଛି। ବଡ଼ବିଲ ଏସ୍‌ଡିପିଓ ସନ୍ତୋଷ କୁମାର ବାରିକ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାର ଅନୁଧ୍ୟାନ କରିଛନ୍ତି। ମୃତ ଦମ୍ପତିଙ୍କ ପୁଅ ହିମାଂଶୁଙ୍କ କହିବା ଅନୁଯାୟୀ, ପ୍ରଥମେ ଜଣେ ଆସି ବାପା ଲକ୍ଷ୍ମୀଧରଙ୍କୁ ୧ଲିଟର ପେଟ୍ରୋଲ ମାଗିଥିଲେ। ଲକ୍ଷ୍ମୀଧର ତାଙ୍କୁ ପେଟ୍ରୋଲ ଦେବା ପରେ ସେ ପୁଣି ଆଉ ୧ ଲିଟର ପେଟ୍ରୋଲ ମାଗିଥିଲେ। ଏହି ସମୟରେ ପାଚେରି ଡେଇଁ ଘର ଅଗଣାରେ ପ୍ରବେଶ କରିଥିଲେ ଅନ୍ୟ ୩ଜଣ ଦୁବୃର୍ତ୍ତ ଏବଂ ଆକ୍ରମଣ କରିବା ଆରମ୍ଭ କରିଥିଲେ। ପାଟିତୁଣ୍ଡ ଶୁଣି ହିମାଂଶୁ ଓ ମଞ୍ଜୁଲତା ଆସି ଦୁର୍ବୃତ୍ତଙ୍କୁ ବାଧାଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଦୁର୍ବୃତ୍ତମାନେ ଲକ୍ଷ୍ମୀଧର ଓ ମଞ୍ଜୁଲତାଙ୍କ ଉପରକୁ ଲକ୍ଷ୍ୟକରି ଗୁଳି ଚଳାଇଥିଲେ। ହିମାଂଶୁଙ୍କ ମୁଣ୍ଡକୁ ଭୁଜାଲିରେ ଆକ୍ରମଣ କରିବା ସମୟରେ ସେ କୌଣସିମତେ ଦୌଡ଼ି ପଳାଇଯିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।