ଲଣ୍ଡନ,୨୧।୨: ମୋବାଇଲ ଫୋନ୍ରେ ଟିକ୍ଟକ୍ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏକ ବ୍ରିଟିଶ ଦମ୍ପତିଙ୍କ କ୍ଷେତ୍ରରେ ଏହା ଘଟିଛି। ଝିଅର ଟିକ୍ଟକ୍ ନିଶା ପାଇଁ ଏହି ଦମ୍ପତି ୪୨,୦୦୦ ପାଉଣ୍ଡ( ପ୍ରାୟ ୫୧ ଲକ୍ଷ ଟଙ୍କା) ମୋବାଇଲ ବିଲ୍ ଗଣିଛନ୍ତି। ବ୍ରିଟେନର ଆଣ୍ଡ୍ର୍ୟୁ ଅଲ୍ଟି ନାମକ ଜଣେ ବ୍ୟକ୍ତି କପଡ଼ା ବ୍ୟବସାୟ କରନ୍ତି। ସେ ନିକଟରେ ନିଜ ପରିବାର ସହିତ ମରକ୍କୋ ବୁଲିବାକୁ ଯାଇଥିଲେ। ସେଠାରେ ସେ ପ୍ରାୟ ୮ ଦିନ ରହି ସ୍ବଦେଶ ଫେରିବା ସମୟରେ ତାଙ୍କ ନିକଟକୁ ୪୨,୦୦୦ ପାଉଣ୍ଡର ମୋବାଇଲ ବିଲ୍ ଆସିଥିଲା।
ଏହି ବିଲ୍ ଦେଖି ଆଣ୍ଡ୍ର୍ୟୁ ଘାବରାଇ ଯାଇଥିଲେ ମଧ୍ୟ ଏହା ଭୁଲ୍ବଶତଃ ତାଙ୍କ ନିକଟକୁ ଆସିଛି ବୋଲି ଧରି ନେଇଥିଲେ। କିନ୍ତୁ ବିଲ୍ ଭରଣା କରିବାକୁ କମ୍ପାନୀ ନିକଟରୁ ବାରମ୍ବାର ଫୋନ୍ ଆସିବା ପରେ ସେ ଅସଲ କାରଣ ଜାଣିବାକୁ ପାଇଥିଲେ। ଭୁଲ୍ କିମ୍ବା ଅନ୍ୟ କାହାର ବିଲ୍ ନୁହେଁ, ବରଂ ନିଜ ଝିଅର ଟିକ୍ଟକ୍ ନିଶା ପାଇଁ ତାଙ୍କ ନିକଟକୁ ଏହି ପରିମାଣର ବିଲ୍ ଆସିଥିବା ଜାଣିବାକୁ ପାଇଥିଲେ।
ଆଣ୍ଡ୍ର୍ୟୁ ପରିବାର ସହିତ ବିଦେଶ ବୁଲିବାକୁ ଟ୍ରାଭେଲ୍ ଏଜେନ୍ସି ସହିତ ଯେଉଁ ଚୁକ୍ତି କରିଥିଲେ ସେଥିରେ ୟୁରୋପ ବାହାରେ ଡାଟା ରୋମିଂ ସାମିଲ ନଥିଲା। କିନ୍ତୁ ବିଦେଶ ଭ୍ରମଣର ଶେଷ ଦିନରେ ଆଣ୍ଡ୍ର୍ୟୁଙ୍କ ଝିଅ ଦିନକୁ ୮ ଘଣ୍ଟା କେବଳ ଟିକ୍ଟକ୍ ଦେଖିଥିଲେ। ଏଥିପାଇଁ ଘଣ୍ଟା ବିଲ୍ ପରିମାଣ ଥିଲା ୫,୦୦୦ ପାଉଣ୍ଡରୁ ଅଧିକ। ସେହି ଅନୁସାରେ ଆଣ୍ଡ୍ର୍ୟୁଙ୍କ ନିକଟକୁ ମୋଟ ୪୨,୦୦୦ ପାଉଣ୍ଡର ବିଲ୍ ଆସିଥିଲା।

