Categories: ଫୁରସତ

୬୦ ଲକ୍ଷ ମୃତଦେହ ପୋତାଯାଇଥିବା ‘କବରଖାନା’ ରେ ବିବାହ କଲେ ଏହି ଯୋଡ଼ି, ନାଁ ଶୁଣି ଭୟରେ ଥରିଥିଲେ ଅତିଥି…

ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ। ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ‘ଡେଷ୍ଟିନେଶନ ଓ୍ବେଡିଂ’ କରିବାକୁ ପସନ୍ଦ କରୁଛନ୍ତି। ହେଲେ କିଛି ଯୋଡ଼ି ରୋମାଞ୍ଚକର ଅନୁଭୂତି ଲାଗି ଏଭଳି ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ ଅତିଥିଙ୍କ ଲୋମ ଟାଙ୍କୁରି ଉଠେ। ସେଭଳି ଏକ ଡେଷ୍ଟିନେଶନ ଓ୍ବେଡିଂ ଏବେ ଚର୍ଚ୍ଚାରେ।

ଆମେରିକାର ଏକ ଯୋଡ଼ି ନିଜ ବିବାହକୁ ସ୍ବତନ୍ତ୍ର କରିବାକୁ ଯାଇ ଏକ ଭୟଙ୍କର ସ୍ଥାନକୁ ବାଛିଥିଲେ। ସେଇଟି ଥିଲା ଏକ କବରଖାନା। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ହାଲୋଓ୍ବେନ୍‌ ଅବସରରେ ସେମାନେ ବିବାହ କରିଛନ୍ତି। ଲକ୍ଷ ଲକ୍ଷ ମୃତଦେହ ଗହଣରେ ତାଙ୍କ ବିବାହକୁ ଦେଖି ଲୋକେ ଚକିତ ହୋଇଛନ୍ତି।

ଉକ୍ତ ଦମ୍ପତ୍ତି କହିଛନ୍ତି, ରାତି ଖାଇବା ସାରିବା ପରେ ସେ ନିଜ ବନ୍ଧୁ, ବିବାହର ସାକ୍ଷୀ ଏବଂ ଜଣେ ପେସାଦାର ଟୁର୍‌ ଗାଇଡ୍‌ଙ୍କୁ ଧରି ଏକ ଗୁପ୍ତ ରାସ୍ତା ଦେଇ ଉକ୍ତ ଭୟଙ୍କର କବରଖାନାରେ ପହଞ୍ଚିଥିଲେ। ସେଠାରେ ସେମାନେ ଉକ୍ତ ହାଡ଼ ଏବଂ ମୁଣ୍ଡର ଗଦା ମଧ୍ୟରେ ବିବାହ ସହ ଫଟୋଶୁଟ୍‌ କରାଇଥିଲେ।

ଉକ୍ତ ଯୋଡ଼ି ବାଛିଥିବା ସ୍ଥାନଟି ଥିଲା ‘ଫ୍ରେଞ୍ଚ କାଟାକମ୍ବସ’। ପ୍ୟାରିସରେ ଥିବା ଏହି ସ୍ଥାନକୁ ‘କବରଖାନା’ କୁହାଯାଏ। କାରଣ ୬୦ ଲକ୍ଷ ଲୋକଙ୍କ ମୃତଦେହର ହାଡ଼ ଏବଂ ଖପୁରୀ ଏଠାରେ ରଖାଯାଇଛି। ମାଟି ଉପରୁ ୨୦ ମିଟର ଗଭୀରତାରେ ଏହି କବରଖାନା ନିର୍ମିତ ହୋଇଛି। ଏଠାରେ ହାଡ଼ ଏବଂ ଖପୁରୀକୁ ଏଭଳି ସଜାଯାଇ ରଖାଯାଇଛି ଯେ, ତାହା ଦୁଇ କିଲୋମିଟର ଲମ୍ବା କାନ୍ଥ ପାଲଟିଛି। ଏହା ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ପସନ୍ଦ କରି ନ ଥାନ୍ତି। ଏମିତିରେ ଏହି ସ୍ଥାନରେ ସେମାନେ ବିବାହ କରି ସମସ୍ତଙ୍କୁ ଚମକାଇଛନ୍ତି।

Share