କୋଟା, ୩।୬ (ପି.ଟି.): ଏକ ଅନ୍ଲାଇନ ଗେମିଂ ଆପ୍ରେ ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନର କୋଟା ଜିଲାରେ ଏକ ଦମ୍ପତି ହତାଶ ହୋଇ ରବିବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛନ୍ତି। କୋଟାର ଖେଡ଼ା ରାମପୁର ଗ୍ରାମସ୍ଥିତ ନିଜ ଘରେ ଦୀପକ ରାଠୋଡ଼ ଓରଫ୍ ଭିକି (୩୦) ଏବଂ ତାଙ୍କ ସ୍ତ୍ରୀ ରାଜେଶ ରାଠୋଡ଼ ଓରଫ କ୍ରୀଷ୍ଣା (୨୭) ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଏହି ଦମ୍ପତି ରବିବାର ରାତିରେ ସ୍ଥାନୀୟ ବଜାରରୁ ନାଇଲନ ଦଉଡ଼ି କିଣିଥିଲେ। ରାତ୍ରି ଭୋଜନ ପରେ ସେମାନେ ରଶିରେ ଝୁଲି ଆତ୍ମହତ୍ୟା କରିଥିଲେ। ସୋମବାର ସକାଳେ ଦୀପକଙ୍କ ପରିବାର ଲୋକେ ତାଙ୍କ ରୁମ୍ର କବାଟ ବାଡ଼େଇବାରୁ ତାଙ୍କ ୫ ବର୍ଷର ଝିଅ କବାଟ ଖୋଲିଥିଲେ। ଏହାପରେ ପରିବାର ଲୋକେ ଉଭୟ ଦୀପକ ଓ ତାଙ୍କ ସ୍ତ୍ରୀଙ୍କୁ ରଶିରେ ଝୁଲୁଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ହସ୍ତଗତ ହୋଇ ନ ଥିବା ପୋଲିସ କହିଛି। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଦୀପକ ପ୍ରାୟତଃ ତାଙ୍କ ମୋବାଇଲ ଫୋନ୍ରେ ଅନ୍ଲାଇନ ଗେମ ଖେଳି ଟଙ୍କା ଲଗାଉଥିଲେ। ସେ ନିକଟରେ ଏକ ଅନ୍ଲାଇନ ଗେମିଂ ଆପ୍ରେ ୫ ଲକ୍ଷ ଟଙ୍କା ହରାଇଥିଲେ। ତେଣୁ ଗତ କିଛିଦିନ ହେବ ସେ ସର୍ବଦା ଉଦାସ ରହୁଥିଲେ। ଦିନକ ତଳେ ଦୀପକ ନିଜ ଦେଢ଼ଶାଶୁଙ୍କ ସହ କଥା ହୋଇ ଅନ୍ଲାଇନ୍ ଗେମିଂ ଆପ୍ରେ ଟଙ୍କା ହରାଇଥିବାରୁ ଏବେ ତାଙ୍କ ଉପରେ ୪ରୁ ୫ ଲକ୍ଷ ଟଙ୍କାର ଋଣ ରହିଥିବା କହିଥିଲେ। ତେଣୁ ଆତ୍ମହତ୍ୟା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନାହିଁ ବୋଲି ଦୀପକ କହିଥିଲେ। ଦୀପକ ଏବଂ କ୍ରୀଷ୍ଣାଙ୍କ ବିବାହ ୬ ବର୍ଷ ତଳେ ହୋଇଥିବା ପରିବାର ଲୋକେ କହିଛନ୍ତି। ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କୋଟା ଡିଏସ୍ପି କହିଛନ୍ତି।


