ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର ଏହି ନୂଆ ନିୟମ ବିଷୟରେ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। ୨୦୨୬ ଏପ୍ରିଲ ୧ ରୁ ରେଳବାଇ ଟିକେଟ କ୍ୟାନସଲେସନ ଏବଂ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି।
ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ କାଉଣ୍ଟର ଟିକେଟ ଏବଂ ଇ-ଟିକେଟ ସମ୍ବନ୍ଧୀୟ ଅନେକ ନିୟମରେ ସଂଶୋଧନ କରିଛି। ଏହି ନୂଆ ନିୟମଗୁଡ଼ିକ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ମଧ୍ୟରେ ପର୍ଯ୍ୟାୟକ୍ରମେ ଲାଗୁ ହେବ।
୧. କାଉଣ୍ଟର ଟିକେଟ କ୍ୟାନସଲ ଏବେ ଆହୁରି ସହଜ
ପୂର୍ବରୁ ଯାତ୍ରୀମାନଙ୍କୁ ସେହି ଷ୍ଟେଶନରେ ହିଁ ଟିକେଟ କ୍ୟାନସଲ କରିବାକୁ ପଡ଼ୁଥିଲା, ଯେଉଁଠାରେ ଯାତ୍ରା ଶେଷ ହେଉଥିଲା। କିନ୍ତୁ ଏବେ ଯାତ୍ରୀମାନେ ଯେକୌଣସି ଷ୍ଟେସନର କାଉଣ୍ଟରରୁ ନିଜର ଟିକେଟ କ୍ୟାନସଲ କରି ରିଫଣ୍ଡ ପାଇପାରିବେ।
୨. କ୍ୟାନସଲେସନ ସମୟ ଅନୁସାରେ ରିଫଣ୍ଡ ତାଲିକା:
ରେଳବାଇ ଏବେ ସମୟ ଅନୁସାରେ ଟଙ୍କା ଫେରସ୍ତର ନୂଆ ସ୍ଲାବ ପ୍ରସ୍ତୁତ କରିଛି:
୭୨ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ: ପ୍ରାୟ ୭୫% ପର୍ଯ୍ୟନ୍ତ ରିଫଣ୍ଡ ମିଳିବ (କେବଳ ସର୍ବନିମ୍ନ କ୍ୟାନସଲେସନ ଚାର୍ଜ କଟିବ)।
୭୨ ଘଣ୍ଟାରୁ ୨୪ ଘଣ୍ଟା ମଧ୍ୟରେ: ମୋଟ ଭଡ଼ାର ୨୫% ରିଫଣ୍ଡ ମିଳିବ।
୨୪ ଘଣ୍ଟାରୁ ୮ ଘଣ୍ଟା ମଧ୍ୟରେ: ମୋଟ ଭଡ଼ାର ୫୦% ରିଫଣ୍ଡ ମିଳିବ।
୮ ଘଣ୍ଟାରୁ କମ ସମୟ ପୂର୍ବରୁ:ଯଦି ଆପଣ ଟ୍ରେନ ଛାଡ଼ିବାର ୮ ଘଣ୍ଟାରୁ କମ ସମୟ ପୂର୍ବରୁ କନଫର୍ମ ଟିକେଟ କ୍ୟାନସଲ କରନ୍ତି, ତେବେ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ।
୩. ତତ୍କାଳ ଟିକେଟ ବୁକିଂରେ କଟକଣା:
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ତତ୍କାଳ ଟିକେଟ କଳାବଜାରୀ ରୋକିବାକୁ ଆଧାର ଭିତ୍ତିକ OTP ସିଷ୍ଟମ ଲାଗୁ କରାଯାଇଛି। ଫେକ ୟୁଜରଙ୍କୁ ରୋକିବା ପାଇଁ ୩ କୋଟିରୁ ଅଧିକ ସନ୍ଦିଗ୍ଧ ଆଇଡି ବନ୍ଦ କରାଯାଇଛି।
୪. ଚାର୍ଟ ପ୍ରସ୍ତୁତି ସମୟରେ ପରିବର୍ତ୍ତନ
ଯାତ୍ରୀମାନଙ୍କୁ ବିକଳ୍ପ ଯୋଜନା କରିବା ପାଇଁ ଅଧିକ ସମୟ ଦେବାକୁ ରେଳବାଇ ଚାର୍ଟ ପ୍ରସ୍ତୁତି ସମୟ ବଦଳାଇଛି। ଏବେ ୪ ଘଣ୍ଟା ପରିବର୍ତ୍ତେ ୯ ରୁ ୧୮ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ ହୋଇଯିବ।
୫. ଅନ୍ୟାନ୍ୟ ସୁବିଧା:
ବୋର୍ଡିଂ ଷ୍ଟେଶନ ପରିବର୍ତ୍ତନ: ଟ୍ରେନ ଛାଡ଼ିବାର ୩୦ ମିନିଟ ପୂର୍ବରୁ ମଧ୍ୟ ଆପଣ ବୋର୍ଡିଂ ଷ୍ଟେଶନ ବଦଳାଇ ପାରିବେ।
କ୍ଲାସ ଅପଗ୍ରେଡେସନ: ଯାତ୍ରୀମାନେ ଟ୍ରେନ ଛାଡ଼ିବାର ୩୦ ମିନିଟ ପୂର୍ବ ପର୍ଯ୍ୟନ୍ତ ନିଜର ଟ୍ରାଭେଲ କ୍ଲାସ (ଯଥା: ସ୍ଲିପରରୁ AC) ଅପଗ୍ରେଡ କରିପାରିବେ।
TDR ରୁ ମୁକ୍ତି: ଇ-ଟିକେଟ କ୍ଷେତ୍ରରେ TDR ଆବେଦନ କରିବା ଆବଶ୍ୟକ ନାହିଁ, ରିଫଣ୍ଡ ସ୍ବୟଂଚାଳିତ ଭାବେ ଆକାଉଣ୍ଟକୁ ଆସିଯିବ।

