ବିପଦ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ: କିଛି ଘଣ୍ଟା ମଧ୍ୟରେ ପୃଥିବୀର ନିକଟବର୍ତ୍ତୀ ହେବ ଜଳନ୍ତା ଗ୍ରହାଣୁପିଣ୍ଡ

ଓ୍ବାଶିଂଟନ, ୨୩।୭: ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଜଳନ୍ତା ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡି ଶୁକ୍ରବାର(ଜୁଲାଇ ୨୪) ପୃଥିବୀର ନିକଟତର ହେବ। ଏହା ପୃଥିବୀଠାରୁ ପ୍ରାୟ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ୍‌ ଦୂରରେ ନିଜ କକ୍ଷ ପଥରେ ଗତି କରିବ। ଏହା ପୃଥିବୀ ପାଇଁ ବିପଦ ଜନକ ହୋଇପାରେ ବୋଲି ନାସା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୭୦ ମିଟର ଲମ୍ବ ବିଶିଷ୍ଟ ଏହି ଜଳନ୍ତା ଗ୍ରହାଣୁପିଣ୍ଡ ଘଣ୍ଟାପ୍ରତି ୪୮ ହଜାର କିମି ବେଗରେ ନିଜ କକ୍ଷପଥରେ ଗତି କରିବ। ଏହା ଯଦି ପୃଥିବୀର ମହାକର୍ଷଣ ଶକ୍ତି ପ୍ରଭାବରେ ନିଜ କକ୍ଷ ପଥରୁ ବିଚ୍ୟୁତ ହୁଏ ତେବେ ପୃଥିବୀ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି କ୍ଷୁଦ୍ର ଗ୍ରହ ପ୍ରାୟତଃ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାନ୍ତି। ବାୟୁମଣ୍ଡଳରେ ଅତ୍ୟଧିକ ଘର୍ଷଣ ଯୋଗୁ ଏହା ହୁଏତ ଆକାଶରେ ଜଳିପୋଡ଼ି ପାଉଁଶ ହୋଇଯିବ କିମ୍ବା ଏହାର କିଛି ଅଂଶ ପୃଥିବୀରେ ଖସିପଡ଼ିବ। ଏଭଳି କ୍ଷୁଦ୍ରଗ୍ରହ ଖସିପଡ଼ିଥିବା ଅଞ୍ଚଳରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଯଦି ଜନବସତି ଉପରେ ଏଭଳି ଗ୍ରହ ପଡ଼େ ତେବେ ସେଠାରେ ଧନଜୀବନ ହାନୀର ଆଶଙ୍କା ରହିଥିବା ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବରୁ ୧୯୭୯ ଜୁଲାଇ ୧୧ରେ ଆମେରିକା ମହାକାଶ ଯାନ ସ୍କାଏଲାବ୍‌ ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିଲା। ୭୮ ଟନ ଓଜନର ଏହି ମହାକାଶ ଯାନ ଭାରତରେ ପଡ଼ିବ ବୋଲି ଆଶଙ୍କା ରହିଥିଲା। ତେବେ ମହାକାଶ ବିଜ୍ଞାନୀ ଏହାର ଗତିପଥ ବଦଳାଇ ଦେଇଥିଲେ। ଏହା ପ୍ରଶାନ୍ତ ମହାସାଗରରେ ପଡ଼ିଥିଲା। ମାତ୍ର ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡିକୁ ମହାକାଶ ବିଜ୍ଞାନୀମାନେ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି।

Share