କାଉନସିଲର ବୁଲିଲେ ହିଞ୍ଜିଳିକାଟୁ ଡାକ୍ତରଖାନା

ହିଞ୍ଜିଳିକାଟୁ,୧୪।୩(ଡି.ଏନ.ଏ): ହିଞ୍ଜିଳିକାଟୁ ପୌର ପରିଷଦର ଜଣେ ଭାଜପା କାଉନସିଲର, ୨ ଜଣ ସ୍ବାଧୀନ କାଉନସିଲରଙ୍କ ସହ ଜଣେ କଂଗ୍ରେସ ଓ ୨ ଜଣ ସ୍ବାଧୀନ କାଉନସିଲରଙ୍କ ସ୍ବାମୀ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ପହଞ୍ଚି ଥିଲେ। ସେଠାରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଖୋଳତାଡ଼ କରିବା ସହ ଡାକ୍ତରଖାନାରେ ଅବ୍ୟବସ୍ଥା ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଡାକ୍ତରଖାନାରେ ପାନୀୟ ଜଳ ସମସ୍ୟା, ଏକ୍ସରେ ମେସିନ ଅଚଳ ଥିବା ଏହି ଟିମ କହିଛନ୍ତି। କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଡାକ୍ତରଖାନା ଆସୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟୁତ୍‌ ବିଲ ଭୟରେ ପର୍ଯ୍ୟାପ୍ତ ଆଲୋକୀକରଣ ହେଉନଥିବା କହିଛନ୍ତି। ଦୈନିକ କର୍ମଚାରୀ ଓ ଡାକ୍ତରଙ୍କ ଉପସ୍ଥାପନ ତାଲିକାରେ ତୃଟି, ଶୌଚାଳୟ ସ୍ବଚ୍ଛତା ନଥିବା ଆଦି ଅଭିଯୋଗ କରିଛନ୍ତି। ରୋଗୀଙ୍କ ତୁଳନାରେ ଡାକ୍ତର କମ ଥିବା ଓ ଲୋକ ହନ୍ତସନ୍ତ ହେଉଥିବା କାଉନସିଲର ଟିମ ଅଭିଯୋଗ କରିଛନ୍ତି।
ଏହି ଟିମରେ ଭାଜପା କାଉନସିଲର ଯୁଧିଷ୍ଠିର ଦାଶ, ସ୍ବାଧୀନ କାଉନସିଲର ଅମୂଲ୍ୟ ସାହୁ, ଭିକା ବେହେରା ଉପସ୍ଥିତ ଥିଲେ। ସେହିପରି ଜଣେ କଂଗ୍ରେସ କାଉନସିଲରଙ୍କ ସ୍ବାମୀ ଓ ୨ ଜଣ ସ୍ବାଧୀନ କାଉନସିଲରଙ୍କ ସ୍ବାମୀ ୬ ଜଣିଆ ଟିମରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏ ନେଇ ମୁଖ୍ୟ ଚିକିତ୍ସାଧିକାରିଣୀ ଡାପ୍ରତିଭା ପାତ୍ର କହିଛନ୍ତି ଯେ, ଏକ୍ସରେ ମେଶିନ ଗତ ରାତିରୁ ଯାନ୍ତ୍ରିକ ତ୍ରୁଟି ହୋଇଛି ତାହାକୁ ସଜଡାଯିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅନ୍ୟ କିଛି ସମସ୍ୟା ସୃଷ୍ଟି ହେଲେ ତାହା ସଙ୍ଗେ ସଙ୍ଗେ ସମାଧାନ କରାଯାଉଛି। ଅନ୍ୟପକ୍ଷରେ ଡାକ୍ତରଖାନାର ଆକାଉଣ୍ଟାଣ୍ଟଙ୍କ ଉପରେ ଏହି କାଉନସିଲର ମାନେ ବାରମ୍ବାର ବିଭିନ୍ନ ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ। ପୂର୍ବରୁ ଜଣେ କାଉନସିଲର ଆଉଟସୋର୍ସିଂ ସୁପରଭାଇଜର ଥିଲେ ବର୍ତ୍ତମାନ ସେ ଆଉ କାର୍ଯ୍ୟ କରୁନାହାନ୍ତି ବୋଲି ପାତ୍ର କହିଛନ୍ତି। ସୋମବାର ହିଞ୍ଜିଳିକାଟୁ ପୌର ପରିଷଦର ବିଜେଡି ବିରୋଧୀ କାଉନସିଲର ଟିମଙ୍କ ହସ୍ପିଟାଲ ଗସ୍ତ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି।