ବିଭିନ୍ନ ଯୋଜନାରେ ଦୁର୍ନୀତି ଅଭିଯୋଗ

ଖୋର୍ଦ୍ଧା ଅଫିସ,୧୬।୧୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଛଣଗିିରି ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଦୁର୍ନୀତି ଅଭିଯୋଗ ହୋଇଛି। ଏ ନେଇ ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓଙ୍କ ନିକଟରେ କିଛିଦିନ ତଳେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ଅନିୟମିତତାରେ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଥିବା ଏବଂ ପିସି କାରବାର ହେଉଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।
ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ, ସୂଚନାଫଳକ ବିନା କାର୍ଯ୍ୟ କରାଯାଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ କରାଇବା ଲାଗି ସରକାରଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏହାର ଉଲ୍ଲଂଘନ ହେଉଛି। ଶ୍ରମିକ ପରିବର୍ତ୍ତେ ମେଶିିନ ସାହାଯ୍ୟରେ କାମ ଚାଲିଛି। ହିତାଧିକାରୀଙ୍କ ନାମରେ ହାଜିରା ପକାଇ ଓ ମିଥ୍ୟା ବିଲ୍‌ କରି ଟଙ୍କା ହଡ଼ପ ହେଉଛି। ଅରାଙ୍ଗ ଗ୍ରାମର ଗାଁ ସାଥୀଙ୍କ ବିନା ଅଗୋଚରରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ଚାଲିଛି। ସେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଛନ୍ତି। କେହି ଅନିୟମିତତାର ପ୍ରତିବାଦ କଲେ, ତାଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇବା ଓ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। କିଛିମାସ ତଳେ ଛଣଗିରି ପଞ୍ଚାୟତ ଦୁର୍ନୀତିର ତଦନ୍ତ ଲାଗି ବରିଷ୍ଠ ନାଗରିକ ଗୋପାଳ ଚନ୍ଦ୍ର ବଳିୟାରସିଂ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଆକାଉଣ୍ଟକୁ ଟଙ୍କା ଆସୁଛି। ଅନେକ ମୃତବ୍ୟକ୍ତିଙ୍କ ନାମରେ ଟଙ୍କା ସେମାନଙ୍କ ଆକାଉଣ୍ଟରେ ପଇଠ କରାଯାଇଛି। ଅରାଙ୍ଗ ଗ୍ରାମର ବାବନ ପ୍ରଧାନ ୮ବର୍ଷ ତଳୁ ମୃତ୍ୟୁବରଣ କଲେଣି। ମାତ୍ର ତାଙ୍କ ଆକାଉଣ୍ଟରେ ଟଙ୍କା ପଇଠ ହୋଇଛି। ସେହିପରି ବାଦଗାଡ଼ିଆ ନାଳଠାରୁ ବଢେଇଗାଡିଆ ରାସ୍ତା (୬ଲକ୍ଷ ଟଙ୍କା), ଦେଉଳିପାଟଣା ପୋଖରୀ ପାଚେରି(୪ଲକ୍ଷ), ଦେଉଳିପାଟଣା ପୋଖରୀ ପୁରୁଣା ପାହାଚ ପ୍ଲାଷ୍ଟର (୧ଲକ୍ଷ), ଜରିଟାପ ପୁଷ୍କରିଣୀ ପ୍ରାଚୀର (୬ଲକ୍ଷ) ଏବଂ ଦେଉଳିପାଟଣା ଆଦିବାସୀ ସାହିଠାରୁ ଅରାଙ୍ଗ ବଘେଇ ରାସ୍ତା ନିର୍ମାଣ ସରିଛି, କାର୍ଯ୍ୟ ସମ୍ପର୍କରେ ସୂଚନାଫଳକ ଲଗାଯାଇନାହିଁ। ଏହି ସବୁ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ତେବେ ସମସ୍ତ ଅଭିଯୋଗକୁ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ କରାଯିବ ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତାରାୟ କହିଛନ୍ତି।