Categories: ବାଣିଜ୍ୟ

କରୋନା ପାଇଁ ରକ୍ଷା କବଚ ବୀମା ପଲିସି; ଜାଣନ୍ତୁ କଣ ରହିଛି ସୁବିଧା

ନୂଆଦିଲ୍ଲୀ,୧୪।୭: ବର୍ତ୍ତମାନ କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଏକ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଠପ୍‌ ହୋଇଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇଛି। ଏହାକୁ ଧ୍ୟାନରେ ରଖି ଭାରତୀୟ ବୀମା ନିୟାମକ ଏବଂ ଉନ୍ନତିକରଣ ପ୍ରାଧୀକରଣ ଜେନେରାଲ ଏବଂ ଲାଇଫ ଇନସ୍ୟୁରାନ୍ସ କମ୍ପାନୀଗୁଡିକୁ ସ୍ବଳ୍ପ ମିଆଦୀ ବିଶିଷ୍ଟ ବୀମା ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା କବଚ ହେଲଥ ପଲିସି ଲଞ୍ଚ କରିବା ଲାଗି କମ୍ପାନୀଗୁଡିକ ସବୁଜ ସଙ୍କେତ ମିଳି ସାରିଛି। ଚଳିତ ମାସ ୧୦ ତାରିଖ ମଧ୍ୟରେ ଏ ସଂକ୍ରାନ୍ତ ସବୁ କାମ ସାରିବାକୁ କମ୍ପାନୀଗୁଡିକୁ କୁହାଯାଇଥିଲା।
ଏହି ପଲିସିଗୁଡିକ ସାଢେ ୩ ମାସ, ସାଢେ ୬ ମାସ ଏବଂ ସାଢେ ୯ ମାସ ବିଶିଷ୍ଟ ହେବ। ଏହା ଅଧୀନରେ ବୀମା କରିଥିବା ଲୋକଙ୍କୁ ୫୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଉପଲବ୍ଧ ହେବ। ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀଗୁଡିକୁ ମଧ୍ୟ ଏଭଳି ବୀମା ଆଣିବାକୁ କୁହାଯାଇଛି। ଏହା ମଧ୍ୟରେ ଏସ୍‌ବିଆଇ ଜେନେରାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ଆଇସିଆଇସିଆଇ ଲୋମ୍ବାର୍ଡ, ଏଚ୍‌ଡିଏଫ୍‌ସି ଏର୍ଗୋ, ମ୍ୟାକ୍ସ ବୁପା, ବଜାଜ ଆଲିଆଞ୍ଜ, ଭାରତୀ ଏକ୍ସା ଏବଂ ଟାଟା ଏଆଇଜି ଭଳି କମ୍ପାନୀ ସାମିଲ ଅଛନ୍ତି।

ମାତ୍ର ଥରେ ଦେବାକୁ ହେବ ପ୍ରିମିୟମ
ଏଥିରେ ବୀମା ଅବଧି କ୍ଷୁଦ୍ର ମିଆଦି ବିଶିଷ୍ଟ ହୋଇଥିବାରୁ ଥରେ ମାତ୍ର ପ୍ରିମିୟମ ପ୍ରଦାନ କରିବାକୁ ହେବ। ସାରା ଦେଶ ପାଇଁ ପ୍ରିମିୟମ ସମାନ ରହିବ। ବଜାଜ ଆଲିଆଞ୍ଜ ପକ୍ଷରୁ ପଲିସି ଶୁଭାରମ୍ଭ କରାଯିବ ସହ ସ୍ପଷ୍ଟ କରାଯାଇଛି ଯେ, ପ୍ରିମିୟମ ୪୪୭ ଟଙ୍କାରୁ ୫୫୬୦ ଟଙ୍କା ରହିଛି। ଏଥିରେ ଜିଏସ୍‌ଟି ମଧ୍ୟ ରହିଛି। ଏହି ରାଶି ପଲିସି ନେଉଥିବା ବ୍ୟକ୍ତି ବିଶେଷଙ୍କ ବୟସ, ବୀମା ରାଶି, ପଲିସି ଅବଧି ହିସାବରେ ଅଲଗା ଅଲଗା ରହିଥାଏ। ଏଚ୍‌ଡିଏଫ୍‌ସି ଏର୍ଗୋ ମୁତାବକ, କୋଭିଡ ସହ ଅନ୍ୟ ରୋଗର ଚିକିତ୍ସା ଖର୍ଚ୍ଚ ଏହା ଦ୍ୱାରା ବହନ କରାଯିବ। ଏଥିରେ ରୋଡ ଆମ୍ବୁଲାନ୍ସ ଖର୍ଚ୍ଚ, ୧୪ ଦିନ ଲାଗି ଦେଖାରଖା ଖର୍ଚ୍ଚ ରହିବ। ଏହାବାଦ ଆୟୁର୍ବେଦ, ହୋମିଓପାଥି ଏବଂ ଅନ୍ୟ ପାରମ୍ପରିକ ଚିକିତ୍ସା ବିକଳ୍ପ ବୀମା କଭର ମଧ୍ୟରେ ସାମିଲ ରହିବ।

Share