Categories: ମେଟ୍ରୋ

ପରିବା ସାଙ୍ଗରେ ଘରକୁ ଯାଉଛି କରୋନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏବେ କରୋନା ସଂକ୍ରମଣ ହୁହୁ ହୋଇ ମାଡ଼ି ଚାଲିଛି। ଏଠାରେ ପ୍ରତିଦିନ ୫୦ ଉପରେ ପଜିଟିଭ୍‌ ଚିହ୍ନଟ ହେଉଥିବାବେଳେ ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ରେ ପହଞ୍ଚତ୍ଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସହରରେ ପୁଣି ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ସକାଳ ୬ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏସବୁ ଦୋକାନରୁ ହିଁ ସଂକ୍ରମଣ ବ୍ୟାପୁଛି। କାରଣ ଇତିମଧ୍ୟରେ କେତେଜଣ ତେଜରାତି ଦୋକାନୀ ଓ ପରିବା ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ବହୁ ଗ୍ରାହକ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି। ବିଶେଷକରି ୟୁନିଟ୍‌-୧ ସମେତ ବିଭିନ୍ନ ପରିବା ବଜାରରେ ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ଲୋକେ ସଂକ୍ରମଣକୁ ଘରକୁ ନେଉଥିବା ଆଶଙ୍କା ପ୍ରକାଶ ପାଇଛି। ସବୁଠୁ ଉଦ୍‌ବେଗର ବିଷୟ ହେଲା ୟୁନିଟ୍‌-୧ ହାଟର ଜଣେ ପରିବା ଗୋଦାମ ମାଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡିବା ପରେ ଶନିବାର ପୋଲିସ ଉକ୍ତ ହାଟକୁ ଯାଇ ବ୍ୟବସାୟୀଙ୍କୁ ଏନେଇ ଅବଗତ କରିବା ସହ ସଂସ୍ପର୍ଶରେ ଆସିଥିଲେ ଘରେ ସଙ୍ଗରୋଧରେ ରହିବାକୁ କହିଥିବା କେତେଜଣ ବ୍ୟବସାୟୀ କହିଛନ୍ତି। ଆକ୍ରାନ୍ତ ବ୍ୟବସାୟଙ୍କଠାରୁ ସହରର ବିଭିନ୍ନ ହାଟ, ବଜାର ଓ କଲୋନୀରେ ଦୋକାନ କରିଥିବା ବ୍ୟବସାୟୀ ପରିବାର ନେଇଥାନ୍ତି। ସେସବୁ ଦୋକାନରୁ ଶହଶହ ଲୋକ ପରିବା ଘରକୁ ନେଇଥିବାରୁ ସଂକ୍ରମଣ ଘରକୁ ବ୍ୟାପିଥିବା ମଧ୍ୟ ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଦେଖିବାକୁ ଗଲେ କମିଶନରେଟ ପୋଲିସ କଟକଣା ଲଗାଇଥିଲେ ମଧ୍ୟ ସେପରି ପଦକ୍ଷେପ ନେଉନି। ସାମାଜିକ ଦୂରିତ୍ୱ ଓ କୋଭିଡ୍‌ କଟକଣା ହାଟବଜାରରେ ରହୁନି। ଯାଞ୍ଚ ଓ ଚଢ଼ାଉ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହେଉଛନ୍ତି। ହେଲେ ପୋଲିସ ଉପସ୍ଥିତିରେ ବି ଶନିବାର ବଡ଼ଗଡ଼ ପରିବା ହାଟରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ବ୍ୟବସାୟୀ ହେଉ ଅବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଆଦୌ ରହୁନି। ଫଳରେ ସବୁଠୁ ସଚେତନ ତଥା ଶିକ୍ଷିତ ଲୋକ ରହୁଥିବା ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ତେଣୁ ପୋଲିସ ଏକ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବା ସହ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।
ବିଏମ୍‌ସି ବିଡିଏ ମିଳିତ ସ୍କ୍ବାଡ୍‌ର ଜଣେ ଅଧିକାରୀ କହିଛନ୍ତି, ଖରାଗରମ ପାଇଁ ଲୋକେ ମୁଖ୍ୟତଃ ସକାଳବେଳା ହିଁ ହାଟ ବଜାରକୁ ଆସୁଛନ୍ତି। ସେଥିପାଇଁ ଭିଡ଼ ହେଉଛି। ହେଲେ ସକାଳୁ ସ୍କ୍ବାଡ୍‌ ସଦସ୍ୟଙ୍କ ନିଦ ଭାଙ୍ଗୁନି। ଚଢ଼ାଉବେଳକୁ ଲୋକେ ଘରକୁ ଫେରିଯାଉଛନ୍ତି। ସ୍କ୍ବାଡ୍‌ ଖାଲି ହାତରେ ଫେରୁଛି।