Posted inଫୁରସତ

କେହି ନାହିଁ ଯାହାର, ଆମେ ଅଛୁ ତାହାର

କୁହାଯାଏ ବନ୍ଧୁ ସିଏ, ଯିଏ ରାଜଦ୍ୱାରରୁ ଶ୍ମଶାନ ପର୍ଯ୍ୟନ୍ତ ସାଥିରେ ଛିଡ଼ା ହୋଇଥାଏ। ହେଲେ କରୋନା କିନ୍ତୁ ବଦଳାଇ ଦେଇଛି ସବୁ ସମ୍ପର୍କର ସଂଜ୍ଞା। ସାଧାରଣତଃ କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁରେ ବନ୍ଧୁ ପରିଜନଙ୍କଠାରୁ ପାଖ ପଡୋଶୀ ଯାଏ ସମସ୍ତେ ରୁଣ୍ଡ ହୋଇଯାଉଥିଲେ। ମଶାଣି ପର୍ଯ୍ୟନ୍ତ ଯାଇ ଅଶ୍ରୁଳ ବିଦାୟ ଦେଉଥିଲେ। ହେଲେ କରୋନା ମୃତକଙ୍କ କ୍ଷେତ୍ରରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ବନ୍ଧୁ ପରିଜନ, ସନ୍ତାନସନ୍ତତି କେହି ବି ପାଖ ମାଡ଼ିପାରୁ ନାହାନ୍ତି। କରିପାରୁନାହାନ୍ତି ଅନ୍ତିମ ସଂସ୍କାର। ମହାମାରୀର ଭୟ ଛଡ଼େଇ ନେଇଛି ଆତ୍ମୀୟତା, ମାନବିକତା। ହେଲେ ଏବେ ବି ଏମିତି ମଣିଷ ଅଛନ୍ତି, ଯାହାଙ୍କ ମାନବିକତା ଆଗରେ ହାର ମାନିବାକୁ ବାଧ୍ୟ ସମସ୍ତେ। ନିଜ ଜୀବନକୁ ବାଜି ଲଗାଇ ଛିଡ଼ା ହେଉଛନ୍ତି କରୋନା ମୃତକଙ୍କ ପାଖରେ। ବନ୍ଧୁଟିଏ ହୋଇ ସବୁ ନୀତିନିୟମ ଅନୁସାରେ ସଂସ୍କାର କରୁଛନ୍ତି ଶବ। ନିଜ ପାଇଁ ଚିନ୍ତା ନାହିଁ, ଭୟ ନାହିଁ। ସକାଳୁ ରାତି ଯାଏ କରିଚାଲିଛନ୍ତି ଶବ ସତ୍କାର। ମାନବିକତାର ପ୍ରତିମୂର୍ତ୍ତି ଏଭଳି କିଛି ବ୍ୟକ୍ତିବିଶେଷଙ୍କୁ ନେଇ ଏଥରର ପ୍ରଚ୍ଛଦ…

କେହି ନାହିଁ ଯାହାର, ଆମେ ଅଛୁ ତାହାର
ସକାଳ ତାଙ୍କର ଆରମ୍ଭ ହୁଏ ସତୀ ଚଉରା ମଶାଣିରେ। ଘରକୁ ଫେରୁ ଫେରୁ ରାତି ଅଧ। କାମ ଶବଦାହ, ସେ ପୁଣି କରୋନା ମୃତକଙ୍କ ଶବ। ବିନା ପିପିଇ କିଟ୍‌ରେ ସକାଳୁ ରାତି ଯାଏ କରିଚାଲିଛନ୍ତି ଶବ ସତ୍କାର। ଇଏ ହେଲେ ବିଭୂତି କୁମାର ରାୟ, ଯାହାଙ୍କୁ ମାନବିକତାର ପ୍ରତିମୂର୍ତ୍ତି କହିଲେ ଭୁଲ୍‌ ହେବ ନାହିଁ। କେବଳ ବିଭୂତି ନୁହନ୍ତି, ତାଙ୍କ ସହ ଅଛନ୍ତି ଆହୁରି ୨୦ ଜଣ ଯୁବକ। ସେମାନେ ହେଲେ- ମାନସ ନନ୍ଦ, ରାଜ କୁମାର ମହାନ୍ତି, ପ୍ରମୋଦ ଦାସ, ସରୋଜ କୁମାର ବେହେରା, ଭାଗ୍ୟଧର ଆଚାର୍ଯ୍ୟ, ହେମନ୍ତ ନାୟକ, ଆଲୋକ ବେହେରା, ଚନ୍ଦନ କୁମାର ମହାନ୍ତି, ବିଶ୍ୱଜିତ ରାୟ, ପ୍ରଭାକର ଦାସ, ରଞ୍ଜନ କୁମାର ରଥ, ସୁସ୍ମିତା ବେଉରା, ନିବେଦିତା ରାୟ, ଚନ୍ଦନ ପରମାଣି, ରମେଶ କୁମାର ସାହୁ, କାଳନ୍ଦୀ ବେହେରା, ରାହୁଲ ଦାସ, ଅଶୋକ ଦଳେଇ, ରାକେଶ ବାରିକ ଏବଂ ରାହୁଲ ସିଂ। ବିଭୂତିଙ୍କ ‘ସାବିତ୍ରୀ ଜନସେବା’ ଅନୁଷ୍ଠାନର ଏମାନେ ଜଣେ ଜଣେ ସଦସ୍ୟ। ଯେତେବେଳେ ପରିବାର ଲୋକ କରୋନା ମୃତକଙ୍କ ପାଖ ମାଡୁ ନାହାନ୍ତି, ପୁଣି କେଉଁଠି କେଉଁଠି ଶବକୁ ଛାଡ଼ି ଦେଇ ଚାଲିଯାଉଛନ୍ତି, ସେଭଳି ପରିସ୍ଥିତିରେ ଏମାନେ ହିଁ ଅପେକ୍ଷା କରିଥାଆନ୍ତି ଶବକୁ। ଶବ ପହଞ୍ଚତ୍ବା ପରେ ଧର୍ମ ଅନୁସାରେ ସେମାନଙ୍କର ସତ୍କାର କରିଥାଆନ୍ତି। ଏଥିପାଇଁ ସରକାରଙ୍କ ତରଫରୁ ତାଙ୍କୁ ଶବ ପିଛା ୪୮୦୦ ଟଙ୍କା ମିଳୁଥିବା ବେଳେ ଦାହ ସରଞ୍ଜାମ କିଣି ସାରିବା ପରେ ଆଉ ପିପିଇ କିଟ୍‌ କିଣିବାକୁ ପାଖରେ ପଇସା ବଳୁନାହିଁ। ଅନ୍ୟପକ୍ଷରେ ପିପିଇ କିଟ୍‌ ପିନ୍ଧି ଶବ ଦାହ କରିବାରେ ସମସ୍ୟା ବୋଲି କହନ୍ତି ବିଭୂତି। ତାଙ୍କ କହିବା ଅନୁସାରେ, ଦିନକୁ ପ୍ରାୟ ୪୦-୬୦ଟି ଶବ ସତ୍କାର ପାଇଁ ଆସୁଥିବାରୁ ଶ୍ମଶାନ ଛାଡ଼ି ସେମାନେ ଘରକୁ ବି ଆସିପାରୁନାହାନ୍ତି। ସେହି ମଶାଣିରେ ହିଁ ରୋଷେଇ କରି ଖାଉଛନ୍ତି। ମଶାଣି ଛାଡ଼ି ଘରକୁ ଆସିବାକୁ ଫୁରୁସତ ନାହିଁ। ଦିନ ରାତି କଟୁଛି କରୋନା ମୃତକଙ୍କ ସହ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏମାନଙ୍କ ମଧ୍ୟରୁ କେହି ହେଲେ କରୋନା ଦ୍ୱାରା ଆକ୍ରାନ୍ତ ହୋଇନାହାନ୍ତି କିମ୍ବା ଆକ୍ରାନ୍ତ ହୋଇ ଭିତରେ ଭିତରେ ଭଲ ହୋଇଯାଇଛନ୍ତି ବୋଲି କହନ୍ତି ବିଭୂତି ରାୟ। ସାବିତ୍ରୀ ଜନସେବା ମାଧ୍ୟମରେ ଅସହାୟଙ୍କ ସେବା କରୁଥିବା ବିଭୂତି ପେସାରେ ଜଣେ ଅଟୋ ଚାଳକ। ପିଲାଦିନରୁ ହିଁ ବିଭୂତି କାହାର ଦୁଃଖ ଦେଖିଲେ ସହି ପାରନ୍ତି ନାହିଁ। ବାପା ଆର୍ମିରେ ଚାକିରି କରୁଥିବା ବେଳେ ମା’ ଆଈଙ୍କ ପାଖରେ ରହୁଥିଲେ। ଆଈ ଥିଲେ କଟକସ୍ଥିତ ଶିଶୁ ଭବନରେ ସେବିକା। ଛୋଟ ବେଳେ ଅଧିକାଂଶ ସମୟ ସେ ଶିଶୁ ଭବନରେ ହିଁ ରହୁଥିଲେ। ସେହି ସମୟରୁ ହିଁ ତାଙ୍କର ରୋଗୀ ସେବା ପ୍ରତି ଆଗ୍ରହ ଆସିଥିଲା। କେବଳ ରୋଗୀ ସେବା ନୁହେଁ, ଯେ କୌଣସି ଅସହାୟଙ୍କୁ ଦେଖିଲେ ସେ ସାଧ୍ୟମତେ ସାହାଯ୍ୟ କରନ୍ତି। କେହି ହସ୍‌ପିଟାଲ ଯାଉଥିଲେ ତାଙ୍କୁ ବିନା ପଇସାରେ ଅଟୋରେ ନେବା ସହ ତାଙ୍କର ଔଷଧ ଓ ଖାଇବା ପିଇବା କଥା ବୁଝନ୍ତି। ଏମିତି ହିଁ ତାଙ୍କ ସହ ଭେଟ ହୋଇଥିଲେ ବିଭୂତିଙ୍କ ପୋଷ୍ୟ ପୁତ୍ର ହେମନ୍ତ ନାୟକ। ୨୦୦୮ରେ କଟକ ସିଡିଏରେ ଅଟୋ ନେଇ ଯାଉଥିବା ବେଳେ ସେ ହେମନ୍ତ ଓ ତାଙ୍କ ବାପାଙ୍କୁ ଚାଲି ଚାଲି ଯାଉଥିବାର ଦେଖିଲେ। ତାଙ୍କୁ ଅଟୋରେ ବସିବାକୁ କହିଲେ। କ୍ୟାନ୍‌ସରରେ ହେମନ୍ତଙ୍କ ଗୋଟିଏ ଆଖି ଖୁବ୍‌ ଭୟଙ୍କର ଦିଶୁଥିଲା। କୁଆଡ଼େ ଯାଉଛନ୍ତି ବୋଲି ପଚାରିବାରେ ହେମନ୍ତଙ୍କ ବାପା କହିଥିଲେ, ପୁଅର ଚିକିତ୍ସା ପାଇଁ ଆସିଥିଲି, ହେଲେ ପଇସା ଅଭାବରୁ ଏବେ ଫେରି ଯାଉଛୁ। ବିଭୂତି ତାଙ୍କୁ ସାହସ ଦେଇଥିଲେ ଚିକିତ୍ସା କରିବେ ବୋଲି। ହେଲେ ତାଙ୍କ ପାଖରେ ବି କୋଉ ପଇସା ଥିଲା। ମାଗିଯାଚି ପୁଣି ହେମନ୍ତଙ୍କ ଫଟୋ ଖବରକାଗଜରେ ବାହାର କରି ଅର୍ଥ ପାଇଁ ଅନୁରୋଧ କରିଥିଲେ। ଆଉ ଶେଷରେ ଭୁବନେଶ୍ୱରସ୍ଥ ଏଲଭି ପ୍ରସାଦ ଆଇ ହସ୍‌ପିଟାଲରେ ହେମନ୍ତଙ୍କର ଆଖିର ଅସ୍ତ୍ରୋପଚାର କରାଯାଇଥିଲା। ଏବେ ତାଙ୍କର ଗୋଟିଏ ଆଖି ସିନା ନାହିଁ, କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାଠ ପଢ଼ିବା ସହ ବିଭୂତିଙ୍କ ସହ ମିଶି ଅସହାୟଙ୍କ ସେବା କରୁଛନ୍ତି। ତାଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଛନ୍ତି ବିଭୂତି। ସେମିତି ଟ୍ରେନ୍‌ ଦୁର୍ଘଟଣାରେ ତିନି ମାସ କୋମାରେ ଥିଲେ ଜଣେ ଝିଅ, ଯାହାଙ୍କ ଚିକିତ୍ସା କଥା ବୁଝିବା ସହ ଦେଖାଶୁଣା କରୁଥିଲେ ବିଭୂତି। କୋମାରୁ ବାହାରିବା ପରେ ସେହି ଝିଅଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେମାନେ ସେହି ଝିଅକୁ ନ ନେବାରୁ ବିଭୂତି ତାଙ୍କୁ ନିଜ ଝିଅ କରି ରଖିଲେ, ଯାହାଙ୍କ ନାମ ହେଲା ଅନୀତା ରାୟ। ତାଙ୍କୁ ଏବେ ବିବାହ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିଭୂତି। ଏହି ଦୁଇ ପାଳିତ ସନ୍ତାନଙ୍କ ବ୍ୟତୀତ ବିଭୂତିଙ୍କ ପରିବାରରେ ପତ୍ନୀ ନିବେଦିତା, ଦୁଇ ଝିଅ ବିସ୍ମିତା ଓ ବିଶାଖାଙ୍କୁ ନେଇ ତାଙ୍କ ସଂସାର। ଅଟୋରୁ ଯାହା ରୋଜଗାର ହୁଏ ସେଥିରେ ରୋଗୀ ସେବା ସହ କୌଣସି ପ୍ରକାରେ ପରିବାର ଚଳିଯାଏ। ଆଜି ପର୍ଯ୍ୟନ୍ତ ବିଭୂତି ୧୦୭ ଥର ରକ୍ତଦାନ କରିସାରିଛନ୍ତି। ଯେବେଠାରୁ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହେଲା ସେବେଠାରୁ ସେ ଭଲ୍ୟୁଣ୍ଟର ସର୍ଭିସ ଦେଇଆସିଛନ୍ତି। ରୋଗୀଙ୍କୁ ସେ ଯେତେବେଳେ ହସ୍‌ପିଟାଲ ନିଅନ୍ତି, ନର୍ସ କିମ୍ବା ଅନ୍ୟ କର୍ମଚାରୀ ନ ଥିଲେ ନିଜେ ରୋଗୀର ପ୍ରାଥମିକ ଚିକିତ୍ସା ବି କରି ଦିଅନ୍ତି। ଆଗରୁ ପରିଚୟ ନ ଥିବା ଏବଂ ପଚି ଯାଇଥିବା ଶବ ସତ୍କାରର ଦାୟିତ୍ୱ ବିଭୂତି ନେଇଛନ୍ତି। କିନ୍ତୁ କୋଭିଡ୍‌ ମୃତକଙ୍କ ଶବକୁ ଯେତେବେଳେ ଅନ୍ୟମାନେ ସତ୍କାର କରିବାକୁ ରାଜି ହେଲେନି, ସେତେବେଳେ ସେହି ଦାୟିତ୍ୱ ବି ବିଭୂତି ସ୍ବଇଚ୍ଛାରେ ନେଲେ। ତାଙ୍କରି ଆଦର୍ଶକୁ ଅନୁସରଣ କରି ଆଉ କିଛି ଯୁବକ ମଧ୍ୟ ତାଙ୍କ ସହ ଯୋଡ଼ି ହେଲେ। କରୋନା ପ୍ରଥମ ଲହରରେ ୧୨୦୦ ଶବ ଦାହ କରିଥିବା ବେଳେ ଅନ୍ୟାନ୍ୟ ୩୦୦ ଶବ ଦାହ କରିଛନ୍ତି। ସେହିପରି କରୋନାର ଦ୍ୱିତୀୟ ଲହରରେ ମେ’ ୧୪ ତାରିଖ ସୁଦ୍ଧା ପ୍ରାୟ ୧୦୩୦ଟି କରୋନା ଶବ ଦାହ କରିଛନ୍ତି। ୨୦୦୬ରେ ବିଭୂତି ଗଢ଼ିଥିବା ‘ସାବିତ୍ରୀ ଜନସେବା ଅନୁଷ୍ଠାନ’ରେ ଏବେ ୨୦ ଜଣ ସଦସ୍ୟ। ଏମାନଙ୍କ ସ୍ବର ହେଲା, ‘କେହି ନାହିଁ ଯାହାର, ଆମେ ଅଛୁ ତାହାର’। ସତରେ, କେବଳ ଏମାନେ ଏକଥା କହୁନାହାନ୍ତି, ପ୍ରତିଟି ମୁହୂର୍ତ୍ତରେ ଏହି କଥାକୁ ପ୍ରମାଣିତ କରିଚାଲିଛନ୍ତି।

ଶେଷ ସମୟର ସାଥୀ
ଜୀବନକାଳ ମଧ୍ୟରେ ମଣିଷ ଅନେକ ସାଙ୍ଗସାଥୀଙ୍କୁ ନେଇ ବଞ୍ଚିଥାଏ। ମାତ୍ର ଜୀବନର ଶେଷ ଯାତ୍ରାରେ ତା’ ସହିତ ମଶାଣି ପର୍ଯ୍ୟନ୍ତ କିଏ, ଯିବ ନ ଯିବ ସେ ଜାଣିପାରି ନ ଥାଏ । ଜୀବନକାଳ ମଧ୍ୟରେ ତା’ର ଯଶ, କୀର୍ତ୍ତି ଓ ସାଙ୍ଗସାଥୀଙ୍କୁ ନେଇ ଗଢ଼ିଥିବା ସମ୍ପର୍କ ହିଁ ସଞ୍ଚିଥିବା ଧନ ସମ୍ପତ୍ତିଠାରୁ ଅଧିକ ମୂଲ୍ୟବାନ ହୋଇଥାଏ। ହେଲେ ଏମିତି କିଛି ଅଭାଗା, ଅସହାୟଙ୍କ ଭାଗ୍ୟରେ ମରିବା ପରେ ତାଙ୍କ ସହିତ ମଶାଣି ପର୍ଯ୍ୟନ୍ତ ଯିବାକୁ କିମ୍ବା ଚାରି କାନ୍ଧ ଦେବାକୁ କେହି ନ ଥାଆନ୍ତି । ଏମିତି ଅସହାୟ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜି ମଶାଣିରେ ସେମାନଙ୍କର ଶବସତ୍କାର କରି ଏଭଳି ମହାନ୍‌ ସେବା କରି ସବୁଠି ପ୍ରଶଂସା ସାଉଁଟିଛନ୍ତି ସୁନ୍ଦରଗଡ ସହରର ୪ଜଣ ବନ୍ଧୁ। ସହରର ପତ୍ରାପଡାର ସିଦ୍ଧାନ୍ତ କୁମାର ପଣ୍ଡା , ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ ଓ କମଳେଶ ନାଥାନୀ । ଏହି ଚାରି ବନ୍ଧୁ ସମସ୍ତେ ନିଜ ନିଜର ବ୍ୟବସାୟିକ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠିତ। ବର୍ତ୍ତମାନର କୋଭିଡ୍‌ର ଭୟାବହତା ମଧ୍ୟ ତାଙ୍କୁ ଛୁଇଁନାହିଁ। ସୁନ୍ଦରଗଡରେ ବର୍ତ୍ତମାନ କୋଭିଡ୍‌ ସଂକ୍ରମଣର ବ୍ୟାପକତା ଭିତରେ ଅନେକ ବ୍ୟକ୍ତିଙ୍କ ଜୀବନ ଦୀପ ଲିଭି ଯାଉଥିବା ବେଳେ କୋଭିଡ୍‌ ହସ୍ପିଟାଲରୁ ଆସୁଥିବା ମୃତବ୍ୟକ୍ତିଙ୍କ ଶବକୁ ପିପିଇ କିଟ୍‌ ପିନ୍ଧି ଗୋଟିଏ ପରେ ଗୋଟିଏ ଶବ ସତ୍କାର କରି ଚାଲିଛନ୍ତି । ଗୋଟିଏ ଜୁଇ ନ ଲିଭୁଣୁ ପହଞ୍ଚି ଯାଉଛି ଆଉ ଗୋଟିଏ ଶବ । ମନରେ କୌଣସି ଭାବନା ନ ରଖି ଶବ ସତ୍କାରରେ ଲାଗି ପଡିଛନ୍ତି ଏମାନେ। ଦିନ ହେଉ କି ରାତି କେଉଁଠି ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର ହୋଇପାରୁ ନ ଥିବା ଖବର ପାଇ ସେଠାରେ ପହଞ୍ଚିଯାଇ ଥାଆନ୍ତି ଏହି ୪ବନ୍ଧୁ । କୋଭିଡ୍‌ର ଭୟାବହତାକୁ ଭ୍ରୂକ୍ଷେପ ନ କରି ଏହି ୪ବନ୍ଧୁ ନିଜକାନ୍ଧରେ କୋଭିଡ୍‌ରେ ହେଉ କିମ୍ବା ସାଧାରଣ ରୋଗରେ ମୃତ୍ୟୁବରଣ କରୁଥିବା ଏଭଳି ଅସହାୟ ବ୍ୟକ୍ତିଙ୍କୁ କାନ୍ଧେଇ ସ୍ଥାନୀୟ ଇବ୍‌ ନଦୀ କୂଳରେ ଥିବା ସ୍ବର୍ଗଦ୍ୱାରକୁ ନେଇ ଶବ ସତ୍କାର କରିବା ଜୀବନର ଏକ ମହାନ୍‌ ବ୍ରତ ଭାବେ ବାଛି ନେଇଛନ୍ତି । ରାତି ହେଉ କି ଦିନ ଅସହାୟ ବ୍ୟକ୍ତିଙ୍କ ପାଇଁ କୋକେଇ ପ୍ରସ୍ତୁତିଠୁ ଆରମ୍ଭ କରି ମଶାଣି ପର୍ଯ୍ୟନ୍ତ ବୋହି ନେଇ ଶବସତ୍କାର ପାଇଁ ଜାଳେଣି ସଂଗ୍ରହ କରି ପୋଡ଼ି ସାରିବା ପରେ ଅସ୍ଥି ସଂଗ୍ରହ କରି ମୃତ ବ୍ୟକ୍ତିଙ୍କ ଆତ୍ମୀୟ ସ୍ବଜନଙ୍କୁ ପ୍ରଦାନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତୁଲାଇଥାଆନ୍ତି । ଏଥିପାଇଁ ସେମାନେ କାହାରିଠୁ କୌଣସି ପ୍ରାପ୍ୟ ନେଇ ନ ଥାଆନ୍ତି । ବର୍ତ୍ତମାନ କୋଭିଡ୍‌ ସମୟରେ ମୃତବ୍ୟକ୍ତିଙ୍କ ଶବ ପରିବାରବର୍ଗଙ୍କୁ ଦିଆଯାଉ ନ ଥିବାରୁ ଏହି ଚାରି ବନ୍ଧୁ ଏହି ଶବକୁ ମଶାଣିରେ ଦାହ କରିବାକୁ ଏକ ପୁଣ୍ୟକାମ ବୋଲି ମନେକରନ୍ତି । ବର୍ତ୍ତମାନ ଧନୀ ହେଉ କିମ୍ବା ଗରିବ ସବୁ ଶ୍ରେଣୀର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶବ ସତ୍କାର କରୁଛନ୍ତି ଏହି ମାନେ। ଏହି ଚାରିବନ୍ଧୁଙ୍କ ମଧ୍ୟରୁ ସିଦ୍ଧାନ୍ତ କହନ୍ତି, ପିଲାବେଳେ ସାହିପଡ଼ିଶାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବ ତାଙ୍କଠୁ ବଡବୟସର ଲୋକମାନେ ମଶାଣିକୁ ନେଇ ଶବଦାହ କରୁଥିବା ଦୃଶ୍ୟ ଦେଖି ଅନ୍ୟ ଦୁଇ ସାଙ୍ଗ ଶିଶିର ଓ ମନୋଜଙ୍କ ସହ ସେ ଏହି ଶବ ସଂସ୍କାର କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇଥିଲେ। ଯୁବ ବୟସରେ ପାଦଥାପିବା ପରେ ପାଖପଡୋଶୀଙ୍କ ମୃତ୍ୟୁ ପରେ ଶ୍ମଶାନକୁ ଯାଇ ସେମାନଙ୍କ ଶବ ସଂସ୍କାର କାର୍ଯ୍ୟରେ ସହଯୋଗ କରିଥିଲେ । ଏହାପରେ ସମୟକ୍ରମେ ସୁନ୍ଦରଗଡ ସହରର କେଉଁଠି ଅସହାୟ ଗରିବ ଓ ସାମାଜିକ ବାସନ୍ଦ କାରଣରୁ ଶବସଂସ୍କାର ହେଉ ନ ଥିବା ବ୍ୟକ୍ତିଙ୍କର ଶବ ଉଠାଇ ଏହି ମହତ୍‌ ସେବା ପାଇଁ ଅଣ୍ଟା ଭିଡିଥିଲେ ଏହି ୩ବନ୍ଧୁ । ୨୦୦୦ମସିହାରୁ ପାଖାପାଖି ୬ଶହ ଶବ ଏହି ୩ବନ୍ଧୁ ସତ୍କାର କରିଥିବା ବେଳେ ଗତ ୨୦୨୦ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ। ଗତ ୨୦୨୦ ଅକ୍ଟୋବର ୭ ତାରିଖରେ ସୁନ୍ଦରଗଡରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏହି ମୃତ କରୋନା ରୋଗୀଙ୍କ ଶବସତ୍କାର ପାଇଁ ସମସ୍ତଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଏହାପରେ ସେତେବେଳର ପୌର ନିର୍ବାହୀ ଅଧିକାରୀ ଅଶୋକ ମିଶ୍ର ଓ ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ଏହି ଶ୍ମଶାନବନ୍ଧୁଙ୍କ ସହଯୋଗ ଲୋଡିଥିଲେ । ପ୍ରଥମେ ସାମାନ୍ୟ ଡର ଲାଗୁଥିଲେ ମଧ୍ୟ ମନରେ ସାହସ ବାନ୍ଧି କୋଭିଡ୍‌ ରୋଗୀଙ୍କ ଶବସତ୍କାର କରିଥିଲୁ ବୋଲି କହନ୍ତି ସିଦ୍ଧାନ୍ତ । ପ୍ରଥମ କରୋନା ଲହରରେ ସହରର କରୋନା ସଂକ୍ରମିତ ଜଣେ ବ୍ୟବସାୟୀଙ୍କ ଶବ ସତ୍କାର ପରେ ତାଙ୍କ ସହିତ ଯୋଡି ହୋଇଛନ୍ତ ଅନ୍ୟ ଜଣେ ବନ୍ଧୁ କମଳେଶ ନାଥାନୀ । ଏବେ ନାଥାନୀଙ୍କୁ ମିଶାଇ ଏହି ୪ବନ୍ଧୁଙ୍କ ଅନ୍ୟ ଏକ ପରିଚୟ ହୋଇଛି ମଶାଣି ବନ୍ଧୁ । ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ୭୬ଟି ଶବ ଦାହ କରିଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ଲହର ଆରମ୍ଭ ହେଲା ଦିନ ଠାରୁ ମେ’ ୧୪ ତାରିଖ ପର୍ଯ୍ୟନ୍ତ ୧୪୫ଟି କରୋନା ଶବ ଦାହ କରିସାରିଛନ୍ତି। ତାଙ୍କର ଏଭଳି କାମକୁ ଦେଖି ସହରର କିଛି ଯୁବ ଗୋଷ୍ଠୀ ଏବେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ତା’ସହ ସହରର କେତେକ ବ୍ୟକ୍ତିିବିଶେଷ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଜିଲା ପ୍ରଶାସନ ଏମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ମାନ୍ୟତା ଦେଇ ପ୍ରଥମେ କୋଭିଡ୍‌ ଟିକା ପ୍ରଦାନ କରି ତାଙ୍କରି କାର୍ଯ୍ୟକୁ ସ୍ବୀକୃତି ଓ ସମ୍ମାନ ଦେଇ ଉତ୍ସାହିତ ମଧ୍ୟ କରିଛି । ସେହିପରି ଜିଲା ପୋଲିସ ପକ୍ଷରୁ ଏସ୍‌ପି ସାଗରିକା ନାଥ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ବରିଷ୍ଠ ନାଗରିକ ସମିତି, ଜିଲା ଗୁରୁଦ୍ୱାରା କମିଟି, ଜିଲା କ୍ରୀଡ଼ା ସଂସଦ ସମେତ ବିଭିନ୍ନ ଅନୁ୍‌ଷ୍ଠାନ ପକ୍ଷରୁ ତାଙ୍କର ଏହି ମହତ୍‌ କାର୍ଯ୍ୟ ପାଇଁ ସମ୍ମାନିତ ଓ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି। ସମସ୍ତଙ୍କ ମୁହଁରେ ଏମାନଙ୍କ ସେବାକୁ ନେଇ ପ୍ରଶଂସା। କାରଣ ଅନ୍ତିମ ସମୟରେ ଏମାନେ ହିଁ ହେଉଛନ୍ତି ପ୍ରକୃତ ବନ୍ଧୁ।

-ରୋଜାଲିନ୍‌ ମହାନ୍ତି
ତଥ୍ୟ ସହାୟତା : ଜୟ ନାରାୟଣ ମେଣ୍ଡୁଳି, ସୁନ୍ଦରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri