କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି ଶୁଣାଣି କରିବା ସମୟରେ ଏବେ ସମସ୍ତ ନିର୍ଦ୍ଦେଶକୁ ନିଜେ ଟାଇପ୍‌ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଭର୍ଚୁଆଲ ଶୁଣାଣି ସମୟରେ ସୁପ୍ରିମକୋର୍ଟର ବିଚାରପତି ଧନଞ୍ଜୟ ଓ୍ବାଇ ଚନ୍ଦ୍ରଚୂଡ ନିଜର ଅନୁଭୂତିକୁ ବଖାଣିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ସମୟରେ ସେ ଦେଉଥିବା ନିର୍ଦ୍ଦେଶକୁ ନିଜେ ଲ୍ୟାପଟପ୍‌ରେ ଟାଇପ କରନ୍ତି ବୋଲି କହିଛନ୍ତି। ମଙ୍ଗଳବାର ସମାନ କାର୍ଯ୍ୟ କରୁଥିବା ବେଳେ ସେ କହିଛନ୍ତି, କୋର୍ଟ ମାଷ୍ଟରଙ୍କୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସେ ନିଜେ ଲ୍ୟାପଟପ୍‌ରେ ଏହି ନିର୍ଦ୍ଦେଶ ଲେଖନ୍ତି। କାରଣ ନିର୍ଦ୍ଦେଶ ଦେବା ଅପେକ୍ଷା ଏହା ସହଜ ଓ ସରଳ ହୋଇଥାଏ। ଲ୍ୟାପଟପ୍‌ରେ ନିଜର ନିର୍ଦ୍ଦେଶ ଟାଇପ୍‌ କରିବା ଦ୍ୱାରା ସଠିକ୍‌ ଓ ନିଭୁର୍ର୍ଲ ହୋଇଥାଏ। କୌଣସି ନିର୍ଦ୍ଦେଶକୁ ଟାଇପ କରିବା ପରେ ଟାଇପିଂ ଭୁଲ କିମ୍ବା ସଂଶୋଧନର ଆବଶ୍ୟକତା ନ ଥାଏ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ତେବେ ତାଙ୍କର ଏଭଳି କାର୍ଯ୍ୟ ପ୍ରଣାଳୀ ଦ୍ୱାରା ଭବିଷ୍ୟତରେ ଅନ୍ୟ ବିଚାରପତିମାନେ ଗ୍ରହଣ କରିପାରନ୍ତି ଆଶା କରାଯାଉଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁପ୍ରିମକୋର୍ଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯାଉଛି।

Share