Categories: ବାଣିଜ୍ୟ

ସହରାଞ୍ଚଳରେ କରୋନା ପ୍ରଭାବ: ତିନି ଚତୁର୍ଥାଶଂଙ୍କ ଉପରେ ଆର୍ଥତ୍କ ମାଡ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦେଶର ତିନି ଚତୁର୍ଥାଂଶ ସହରାବାସୀଙ୍କୁ ଆର୍ଥତ୍କ ଭାବେ ପ୍ରଭାବିତ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକଙ୍କ ଆର୍ଥତ୍କ ସ୍ଥିତି ଗତ ବର୍ଷ ତୁଳନାରେ ବିଗିଡି ଯାଇଛି। ବ୍ରିଟିଶ ରିସର୍ଚ୍ଚ ଫାର୍ମ କ୍ୟାଣ୍ଟର ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି। ଲୋକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଏଥିରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କ୍ୟାଣ୍ଟରର ଦକ୍ଷିଣ ଏସିଆ ମୁଖ୍ୟ ଷ୍ଟ୍ରାଟେଜି ଅଫିସର ହେମନ୍ତ ମେହେଟ୍ଟା କୁହନ୍ତି, ଅଧିକାଂଶ ଲୋକ ଖର୍ଚ୍ଚ ନେଇ ଏବେ ଅତ୍ୟଧିକ ସଚେତନତା ଦେଖାଉଛନ୍ତି। ଲୋକେ କିଣିଲା ବେଳେ ଉନ୍ନତ ଡିଲ୍‌ ଏବଂ ଡିସ୍‌କାଉଣ୍ଟ ଉପରେ ନଜର ରଖୁଛନ୍ତି। ଯଦି କୌଣସି ପ୍ରିମିୟମ ପ୍ରଡକ୍ଟରେ ଲୋକଙ୍କୁ ସୁବିଧା ମିଳୁଛି ତେବେ ତାହା କିଣିବା ଲାଗି ବିଚାର କରାଯାଉଛି। କ୍ୟାଣ୍ଟର ଏହାର ଦ ନ୍ୟୁ ଇଣ୍ଡିଆନ କଞ୍ଜ୍ୟୁମର ରିପୋର୍ଟ ଲାଗି ଦେଶର ୧୫ ରାଜ୍ୟର ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସର୍ଭେରେ ସାମିଲ କରିଛି।
ରିପୋର୍ଟ ମୁତାବକ, ଗ୍ରସେରୀ, ସ୍ମାର୍ଟଫୋନ, ଇଲେକଟ୍ରୋନିକ୍ସ ଏବଂ ଅଟୋମୋବାଇଲ ଭଳି କମ୍ପାନୀଗୁଡିକ ଏବେ କାରବାର ହେବା ନେଇ ଆଶାବାଦି ରହିଛନ୍ତି। ବଜାର ଧୀରେ ଧୀରେ ସୁଧୁରୁଥିବା ବେଳେ ବିକ୍ରି ପୁଣି ଥରେ ଟ୍ରାକକୁ ଫେରିବା ନେଇ ଏବେ କମ୍ପାନୀ ପୁଣି ଆଶା ରଖିଛନ୍ତି। ଏହି ସମୟରେ କ୍ୟାଣ୍ଟରର ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ, ବାହାରେ ବୁଲିବା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଟ୍ରାକକୁ ଫେରିବା ଲାଗି ସମୟ ଲାଗିବ। ଲୋକମାନେ ବ୍ରାଣ୍ଡ ଲୟାଲଟିକୁ ପଛରେ ପକାଇଥିବା ବେଳେ ପ୍ରଡକ୍ଟର ଉପଲବ୍ଧତା ଏବଂ ମୂଲ୍ୟକୁ ଅଧିକ ଦେଖୁଛନ୍ତି। ଲୋକମାନେ ସେମାନଙ୍କ ପ୍ରିୟ ବ୍ରାଣ୍ଡ ଲାଗି ଅତିରିକ୍ତ ପ୍ରୟାସ କରିବା ସ୍ଥିତିରେ ନାହାନ୍ତି। ଲୋକମାନେ କିଣିବା ବେଳେ ରିହାତି ଖୋଜୁଛନ୍ତି। ୫୭% ଲୋକ କିଣାକିଣିକୁ ବାଦ ଦେଉଛନ୍ତି କିମ୍ବା ଅଧିକ ରିହାତି ଖୋଜୁଛନ୍ତି। କୋଭିଡ ପୂର୍ବରୁ ଏହି ହାର ୪୦% ରହିଥିଲା। ଆର୍ଥତ୍କ ସ୍ଥିତି ଖରାପ ଥିବାରୁ ଲୋକମାନେ ଟଙ୍କା ଖର୍ଚ୍ଚ କରିବାକୁ ସଙ୍କୋଚ କରୁଛନ୍ତି। ସେହିଭଳି ଲୋକେ ଭଲ ଡିଲ୍‌କୁ ଅପେକ୍ଷା କରିଥିବା ଜଣାପଡିଛି।

Share