Categories: ଫୁରସତ

କାଳ ସାଜିଲା କରୋନା: ଗୋଟିଏ ଭୁଲ୍‌ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ

କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମା’ଙ୍କ ସହ ୫ପୁଅଙ୍କ ମୃତ୍ୟୁ ଘଟିଛି। ଏପରିକି ତାଙ୍କ ୬ଷ୍ଠ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣାଟି ରାଜ୍ୟର ଧନବାଦ୍‌ର କତରାସ ଅଞ୍ଚଳର। ଜୁଲାଇ ୪ ତାରିଖରେ ପ୍ରଥମେ ୮୮ ବର୍ଷୀୟା ବୃଦ୍ଧା ମା’ଙ୍କ ଏକ ଘରୋଇ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ଯାଞ୍ଚ ସମୟରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ଜଣେ ପୁଅଙ୍କ ମୃତ୍ୟୁ ରାଞ୍ଚିର ରିମ୍ସରେ ହୋଇଥିଲେ। ପୁଣି ଏହାର କିଛି ଦିନ ପରେ ଦ୍ୱିତୀୟ ପୁଅଙ୍କ କରୋନାରେ ସଂକ୍ରମିତ ହୋଇ କେନ୍ଦ୍ରୀୟ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।

ବୃଦ୍ଧାଜଣଙ୍କ ଜୁନ୍‌ ୨୭ତାରିଖରେ ଆୟୋଜିତ ହୋଇଥିବା ନାତୁଣୀଙ୍କ ବିବାହରେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିଲେ। ସେଠାରୁ ଆସିବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। ହେଲେ ଜୁଲାଇ ୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର ବେଳେ ସୁରକ୍ଷା ବିଷୟ ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। ଏହାକୁ ନେଇ କରୋନା ସଂକ୍ରମଣ ଅଧିକ ହୋଇଥିଲା। ଫଳରେ ପରିବାରରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହେବାରେ ଲାଗିଲା। ମାତ୍ର ୧୭ ଦିନ ମଧ୍ୟରେ ହସଖୁସିର ସଂସାର ଉପରେ ଯେପରି କାହାର ନଜର ଲାଗିଗଲା। ଏବେ ପରିବାରର ଅନ୍ୟ ସଦସ୍ୟ ଏଥିରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଛି।

ଝାରଖଣ୍ଡରେ ଇତି ମଧ୍ୟରେ ୫୬ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୫୨ରେ ପହଞ୍ଚିଛି। ଏବେ ୨୭୨୫ ଆକ୍ଟିଭ୍‌ କେସ୍‌ ରହିଛି।

Share