Categories: ବାଣିଜ୍ୟ

ନଭେମ୍ବରରେ କୋର୍‌ ଇଣ୍ଡଷ୍ଟ୍ରିର ଉତ୍ପାଦନ ୭.୮% ବୃଦ୍ଧି

ଭୁବନେଶ୍ୱର ,୩୦।୧୨: ଦେଶର ପ୍ରମୁଖ ୮ କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦୨୩ ନଭେମ୍ବର ମାସରେ ୭.୮% ବୃଦ୍ଧି ଘଟିଛି। ଏପରିକି ୨୦୨୨ ସମାନ ଅବଧିରେ ଏହି ପରିମାଣ ୫.୭% ରହିଥିଲା। ଏ ନେଇ ଶୁକ୍ରବାର ବାଣିଜି୍ୟକ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି। ସେହିଭଳି ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩ ନଭେମ୍ବରରେ ଦେଶର ଆଠଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଉତ୍ପାଦନ ୭.୮% ବୃଦ୍ଧିପାଇଛି। ବିଶେଷକରି ଅଶୋଧିତ ତୈଳ ଏବଂ ସିମେଣ୍ଟ ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରର ସୁସ୍ଥ ଉତ୍ପାଦନ ଅଭିବୃଦ୍ଧି ରେକର୍ଡ କରିଛି ବୋଲି ଚଳିତ ମାସର ସମୀକ୍ଷା ବୈଠକରେ କୁହାଯାଇଛି। ସେହିପରି ୨୦୨୩ ଅକ୍ଟୋବରରେ ମୂଳ କ୍ଷେତ୍ର (କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍‌, ବିଶୋଧନାଗାର ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍‌)ର ଅଭିବୃଦ୍ଧି ୧୨% ଥିଲା ବେଳେ କୋଇଲା ଏବଂ ବିଶୋଧନାଗାର ଉତ୍ପାଦଗୁଡିକ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରିଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ୮ଟି କ୍ଷେତ୍ରର ଉତ୍ପାଦନ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ନଭେମ୍ବରରେ ୮.୬ % ଥିଲା, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୮.୧% ରହିଥିଲା। ଅପରପକ୍ଷରେ କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରିର ଉତ୍ପାଦନ ଗତ ୬ ମାସ ପରେ ଏହି ଅଭିବୃଦ୍ଧି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share