Categories: ଗଜପତି

ସମବାୟ ସହରାଞ୍ଚଳ ବ୍ୟାଙ୍କ ନିର୍ବାଚନ: ୧୫ ନିର୍ଦ୍ଦେଶକ ପଦବୀରୁ ୬ ନିର୍ଦ୍ୱନ୍ଦ୍ୱ

ପାରଳାଖେମୁଣ୍ଡି,୯ା୬(ଡି.ଏନ୍‌.ଏ.): ଗଜପତି ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ପାରଳାଖେମୁଣ୍ଡିର ୧୫ଟି ନିର୍ଦ୍ଦେଶକ ପଦବୀ ନିମନ୍ତେ ୨୫ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ଜୋନ ନଂ୧,୨, ୬, ୭,୧୧ ଓ ୧୫ରେ ନିର୍ଦ୍ଦେଶକ ପଦବୀ ନିମନ୍ତେ ଜଣେ ଲେଖାଏ ନାମାଙ୍କନପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ସମବାୟ ସହରାଞ୍ଚଳ ବ୍ୟାଙ୍କର ନିର୍ବାଚନ ଅଧିକାରୀ ନାରାୟଣ ସେଠୀଙ୍କ ସୂଚନା ପ୍ରକାରେ ୧୫ ନିର୍ଦ୍ଦେଶକ ପଦବୀ ନିମନ୍ତେ ୨୮୨୮ଜଣ ସଦସ୍ୟ ନିଜ ମତାଧିକାର ସାବ୍ୟସ୍ତ କରିବେ। ଜୋନ ନଂ.୧୫ରେ ୧୯୬ ସଦସ୍ୟ ରହିଥିବା ବେଳେ ଅନ୍ୟ ସମସ୍ତ ଜୋନରେ ୧୮୮ଜଣ ଲେଖାଏ ସଦସ୍ୟ ରହିଛନ୍ତି । ଜୋନ ନଂ.୧ରେ ଭାନା ଦଣ୍ଡାସୀ(ଅନୁସୂଚିତ ଜାତି), ଜୋନ ନଂ.୨ରେ ଅଭିମନ୍ୟୁ ପଣ୍ତା(ଅଣସଂରକ୍ଷିତ), ୩ ନଂରେ ଲକ୍ଷ୍ମୀକାନ୍ତ ପରିଚ୍ଛା ଓ ବିଭୂତି ଭୂଷଣ ହୋତା(ଅଣସଂରକ୍ଷିତ), ୪ନଂ.ରେ ଦାନନା ଆପାରାଓ ଓ ୟେଦଲା ସିମାଦ୍ରୀ (ଅନ୍ୟାନ୍ୟ ପଛୁଆ ବର୍ଗ), ୫ନଂରେ ଆନି ଶଙ୍କର ରାଓ ଓ ଭାଟକାଲୁ ସାବରୈୟା(ଅନ୍ୟାନ୍ୟ ପଛୁଆବର୍ଗ), ୬ନଂରେ ଅନୀତା କୁମାରୀ ପଣ୍ତା(ମହିଳା), ୭ ନଂ.ଜୋନରେ ଗୀତାରାଣି ପଣ୍ତା(ମହିଳା), ଜୋନ ନଂ ୮ରେ ୱାଇ. ଗାଡେୟା ଓ ରମେଶ ବେହେରା(ଅନୁସୂଚିତ ଜାତି), ଜୋନ ନଂ.୯ରେ ଆଦର୍ଶ କୁମାର ଦାସ ଓ କର୍ଣ୍ଣମ ରବିକୁମାର(ଅନ୍ୟାନ୍ୟ ପଛୁଆବର୍ଗ), ଜୋନ ନଂ୧୦ରେ ଜମାଦାର ପଟ୍ଟନାୟକ ଓ ଦିନବନ୍ଧୁ ସାବତ(ଅଣସଂରକ୍ଷିତ), ଜୋନ ନଂ.୧୧ରେ ଉଷାବତୀ ମହାରଣା (ଅନ୍ୟାନ୍ୟ ପଛୁଆବର୍ଗ-ମହିଳା), ୧୨ ନଂ.ଜୋନରେ ଶ୍ରୀଦେବୀ ବକ୍ସି ଓ ସାରଳା ବକ୍ସି(ମହିଳା), ୧୩ ନଂ.ଜୋନରେ ଏଲ. ଜୟଲକ୍ଷ୍ମୀ ଓ ପି. ଆମୁଲୁଆମ୍ନା(ଅନ୍ୟାନ୍ୟ ପଛୁଆବର୍ଗ-ମହିଳା), ୧୪ ନଂ.ଜୋନରେ ଅଶୋକ କୁମାର ବରାଡ ଓ ଏମ ରବିରାଜୁ(ଅନ୍ୟାନ୍ୟ ପଛୁଆବର୍ଗ) ଏବଂ ୧୫ ନଂ.ଜୋନରେ ଆଦର୍ଶ କୁମାର ଦାସ (ଅନ୍ୟାନ୍ୟ ପଛୁଆବର୍ଗ) ନିମନ୍ତେ ସଂରକ୍ଷିତ ରହିଥିବା ନିର୍ଦ୍ଦେଶକ ପଦବୀ ସକାଶେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ମାନଙ୍କ ପାଇଁ ଜୁନ ୧୩ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ସମୟ ଧାର୍ଯ୍ୟ କରାଯାଇଛି ଓ ୧୪ରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ୨୬ତାରିଖରେ ନିର୍ବାଚନ ହେବ।