Categories: ବାଣିଜ୍ୟ

ଜମାକାରୀଙ୍କ ସୁରକ୍ଷା ଲାଗି ଆର୍‌ବିଆଇ ଅଧୀନରେ ସମବାୟ ବ୍ୟାଙ୍କ:ସୀତାରାମନ

ନୂଆଦିଲ୍ଲୀ : ସମବାୟ ବ୍ୟାଙ୍କ ଜମାକାରୀଙ୍କ ସ୍ବାର୍ଥକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାକୁ ଧ୍ୟାନରେ ରଖି ସମବାୟ ବ୍ୟାଙ୍କଗୁଡିକର ପରିଚାଳନାକୁ ରିଜର୍ଭ ବ୍ୟାଙ୍କ ପରିସରକୁ ଅଣାଯାଉଥିବା ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ସଂଶୋଧନ ବିଲ୍‌-୨୦୨୦ ବିତର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହା କହିଛନ୍ତି। ସେ ପୁଣି କହିଛନ୍ତି, ନୂଆ ପଦକ୍ଷେପ ଦ୍ୱାରା ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ୍‌ ସୋସାଇଟିଜର କ୍ଷମତା ସଙ୍କୁଚିତ ହେବ ନାହିଁ। ଅପରପକ୍ଷରେ ସମବାୟ ବ୍ୟାଙ୍କଗୁଡିକର ବ୍ୟାଙ୍କିଙ୍ଗ୍‌ କାର୍ଯ୍ୟକଳାପକୁ ବ୍ୟବସ୍ଥିତ କରାଯିବା ଯୋଜନା ରଖାଯାଇଛି। ଜୁନ ୨୬ରେ ସରକାର ଏ ନେଇ ଏକ ଅଧ୍ୟାଦେଶ ଆଣିଥିଲେ। ନୂଆ ବିଲ୍‌କୁ ଲୋକସଭାର ଅନୁମୋଦନ ମିଳିଥିବା ଜଣାପଡିଛି। ନୂଆ ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ଆଇନ ଦ୍ୱାରା ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କ ପରିସରକୁ ଆସିବ। ଏହା ମଧ୍ୟରେ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଏବଂ ମଲ୍ଟି ଷ୍ଟେଟ ସମବାୟ ବ୍ୟାଙ୍କ ସାମିଲ ରହିଛି। ବର୍ତ୍ତମାନ ସାରା ଦେଶରେ ୧୪୮୨ଅର୍ବାନ କୋଅପରେଟିଭ ବ୍ୟାଙ୍କ ଏବଂ ୮୫ ମଲ୍ଟି ଷ୍ଟେଟ କୋଅପରେଟିଭ ବ୍ୟାଙ୍କ କାର୍ଯ୍ୟ କରୁଛି। ଏହି ବ୍ୟାଙ୍କଗୁଡିକରେ ୮.୬ କୋଟି ଜମାକାରୀ ରହିଥିବା ସୀତାରାମନ ମତ ପ୍ରକାଶ କରିଛନ୍ତି।

Share