ରୋଷେଇ କରି ରେକର୍ଡ

କେନ୍ଦୁଝର, ୧୪ ।୮: ଖାଦ୍ୟ ବିଶ୍ୱକୁ ଗୋଟିଏ ଥାଳିରେ ବାନ୍ଧି ରଖିଥାଏ। ଏଭଳି ଚିନ୍ତା ରଖି ପିଲାଦିନରୁ ରୋଷେଇ ପ୍ରତି ଆକୃଷ୍ଟ ହୋଇଥିବା କେନ୍ଦୁଝରର ଝିଅ ବୁସ୍‌ରା ସଲିମ ଦୀର୍ଘ ଘଣ୍ଟା ଧରି ରୋଷେଇ କରି ବିଶ୍ୱ ରେକର୍ଡ କରି ରାଜ୍ୟ ଓ ଦେଶ ପାଇଁ ଗାୈରବ ଆଣିଛନ୍ତି। ଏଥିପାଇଁ ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡର୍‌ସ ପକ୍ଷରୁ ଏବେ ତାଙ୍କୁ ପଦକ ଓ ପ୍ରମାଣପତ୍ର ମିଳିଛି। ସେ ଦୀର୍ଘତମ ରୋଷେଇ ମାରାଥନରେ ଭାଗନେଇ ଏହି ଗାୈରବ ହାସଲ କରିଛନ୍ତି।
ବୁସ୍‌ରା ୨୦୨୦ ଅକ୍ଟୋବର ୧୪ରେ ଅନ୍‌ଲାଇନ୍‌ରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ନିକଟରେ ତାଙ୍କୁ ଏହି ପ୍ରମାଣପତ୍ର ଓ ମେଡାଲ ମିଳିଛି। ସେ ୮୦ ଘଣ୍ଟା ୨୪ ମିନିଟ୍‌ ୩୩ ସେକେଣ୍ଡ ଧରି ନନ୍‌ଷ୍ଟପ ନିଜ ରୋଷେଇ ଘରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ଏହି ରେକର୍ଡ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଆମେରିକାର ଜଣେ ବ୍ୟକ୍ତିଙ୍କ ନାମରେ ଥିଲା। ସେ ୬୭ ଘଣ୍ଟା ଅନବରତ ରୋଷେଇ କରି ରେକର୍ଡର ଅଧିକାରୀ ହୋଇଥିଲେ ବୋଲି ବୁସ୍‌ରା କହିଛନ୍ତି। ବାଣିଜ୍ୟରେ ଡିଗ୍ରୀ କରି ଆମେରିକାରେ ଚାଇଲ୍ଡ ନ୍ୟୁଟ୍ରିଶନରେ ଏକ ସାର୍ଟିଫିକେଟ କୋର୍ସ କରିଥିବା ବୁସ୍‌ରା ପିଲାଦିନରୁ ରୋଷେଇ ପ୍ରତି ରୁଚି ରହିଆସିଥିବା କୁହନ୍ତି। ବିଭିନ୍ନ ପ୍ରକାର ରୋଷେଇ କରିବା ତାଙ୍କର ସଉକ ଥିଲା। ବିଶେଷ କରି କୋଭିଡ୍‌ କଟକଣା ସମୟରେ ସେ ୨୦ରୁ ଊର୍ଦ୍ଧ୍ୱ ଜାତୀୟସ୍ତରୀୟ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଶେଫ୍‌ ରଣବୀର ବ୍ରାର, ଆଶିଷ ଭାସିନଙ୍କଠାରୁ ବେଷ୍ଟ ଟ୍ରାଡିଶନାଲ ଡେଜର୍ଟ ପୁରସ୍କାର ପାଇଥିବା ବୁସରା କହିଛନ୍ତି। ତାଙ୍କ ଘର କେନ୍ଦୁଝର ସହରର ମାଗୁରଗାଡ଼ିଆ ଅଞ୍ଚଳରେ। ୫ବର୍ଷ ପୂର୍ବରୁ ତାଙ୍କର ବିବାହ ଝାଡ଼ଖଣ୍ଡରେ ଜଣେ ବ୍ୟବସାୟୀଙ୍କ ସହ ହୋଇଥିଲା। ୨ପୁଅ ଏବଂ ପରିବାର ସହ ସେ କେନ୍ଦୁଝରରେ ରହୁଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)