ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଟିଭିକେ (TVK) ମୁଖ୍ୟ ବିଜୟଙ୍କ ରୂପ ସଦୃଶ ହୋଇଥିବାରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏହାକୁ ନେଇ ଦୃଢ଼ ଆପତ୍ତି ଉଠାଇଛି।
ମଙ୍ଗଳବାର ତାମିଲନାଡୁ ଭାଜପା ସଭାପତି ନୈନାର ନାଗେନ୍ଦ୍ରନ ଦାବି କରିଛନ୍ତି ଯେ ଏହି ମୂର୍ତ୍ତିଗୁଡ଼ିକୁ ତୁରନ୍ତ ହଟାଯାଉ ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଗିରଫ କରାଯାଉ। ସେ ଅଭିଯୋଗ କରିଛନ୍ତି ଯେ ରାଜନୈତିକ ପ୍ରଚାର ଓ ବ୍ୟକ୍ତିଗତ ପ୍ରତିଷ୍ଠା ପାଇଁ ଦେବତାଙ୍କ ରୂପ ବ୍ୟବହାର କରିବା ଲକ୍ଷ ଲକ୍ଷ ଭକ୍ତଙ୍କ ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଉଛି।
ଅନ୍ୟପକ୍ଷରେ, ବିବାଦ ବଢ଼ିବା ସହ ଟିଭିକେ ଦଳର ସୂତ୍ରରୁ ଜଣାପଡ଼ିଛି ଯେ ମୂର୍ତ୍ତିଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଥାପି, ସ୍ଥାନୀୟ ପ୍ରଶଂସକମାନେ କହିଛନ୍ତି ଯେ ସେମାନେ ଗତ ଆଠ ବର୍ଷ ଧରି ଏଭଳି ମୂର୍ତ୍ତି ସ୍ଥାପନ କରିଆସୁଛନ୍ତି।
ଏହି ଘଟଣାକୁ ଦୃଢ଼ ନିନ୍ଦା କରି ଭାଜପା ରାଜ୍ୟ ସଭାପତି କହିଛନ୍ତି ଯେ, ଲକ୍ଷ ଲକ୍ଷ ଭକ୍ତଙ୍କ ଦ୍ୱାରା ପୂଜିତ ଏକ ଦିବ୍ୟ ସ୍ବରୂପକୁ ବ୍ୟକ୍ତିଗତ ଲାଭ ଓ ରାଜନୈତିକ ପ୍ରଚାର ପାଇଁ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଲୋକଙ୍କ ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଉଛି।
ଟିଭିକେ (TVK) ନେତୃତ୍ୱ ଉପରେ ଦଳୀୟ କର୍ମୀମାନଙ୍କୁ ନିର୍ବାଚନ ପ୍ରଚାର ପାଇଁ ଧାର୍ମିକ ଉତ୍ସବକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ପରୋକ୍ଷରେ ଅନୁମତି ଦେଉଥିବାର ଅଭିଯୋଗ ଆଣି, ନାଗେନ୍ଦ୍ରନ ଏଭଳି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଭାଜପା ନେତା ଅଭିଯୋଗ କରିଛନ୍ତି ଯେ, ଏକ ପବିତ୍ର ଉତ୍ସବକୁ ରାଜନୈତିକ ସ୍ବାର୍ଥ ହାସଲର ମଞ୍ଚ ଏବଂ ଦିବ୍ୟ ପୂଜାକୁ ନିର୍ବାଚନ ପ୍ରଚାରର ରୂପ ଦେବା ଭଳି ସୀମା ଲଙ୍ଘନର ଘଟଣାଗୁଡ଼ିକ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ ଆରମ୍ଭରୁ ରହିଆସିଥିବା ନୀରବତାର ହିଁ ପରିଣାମ ଅଟେ।
ତୁରନ୍ତ ପ୍ରଶାସନିକ ଓ ଆଇନଗତ ହସ୍ତକ୍ଷେପ ଦାବି କରି ନାଗେନ୍ଦ୍ରନ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେହି ବିବାଦୀୟ ପ୍ରତିମୂର୍ତ୍ତିକୁ ତୁରନ୍ତ ହଟାଇବା ଏବଂ ଆୟୋଜକମାନଙ୍କୁ ଗିରଫ କରିବାକୁ କହିଛନ୍ତି।
ସେ କହିଛନ୍ତି, ‘ମୁଁ ଦୃଢ଼ ଭାବରେ ଦାବି କରୁଛି ଯେ ସରକାର ତୁରନ୍ତ ସେହି ପ୍ରତିମୂର୍ତ୍ତିଗୁଡ଼ିକୁ ହଟାନ୍ତୁ ଯାହା ଲୋକଙ୍କ ଧାର୍ମିକ ଭାବନା ଏବଂ ପୂଜା ପରମ୍ପରାକୁ କ୍ଷୁର୍ଣ୍ଣ କରେ। ନିଜର ପ୍ରଚାର-ପ୍ରସାର ପାଇଁ ଦୈବୀ ପ୍ରତିଛବିର ବ୍ୟବହାର କରୁଥିବା ବିପଥଗାମୀ ଆୟୋଜକଙ୍କ ବିରୁଦ୍ଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ସେମାନଙ୍କୁ ଗିରଫ କରାଯିବା ଦରକାର।’
ଏହି ବିବାଦ ତାମିଲନାଡୁରେ ସାର୍ବଜନୀନ ଉତ୍ସବ ସମୟରେ ରାଜନୈତିକ ପ୍ରତିଛବିର ବ୍ୟବହାର ପ୍ରତି ପୁନର୍ବାର ଦୃଷ୍ଟି ଆକର୍ଷଣ କରିଛି; ଯେଉଁଠାରେ ସ୍ଥାନୀୟ ଗୋଷ୍ଠୀଗୁଡ଼ିକ ବିଶାଳ ଗଣେଶ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତି ଏବଂ ବିସର୍ଜନ ପୂର୍ବରୁ ଶୋଭାଯାତ୍ରା ଆୟୋଜନ କରନ୍ତି।

