ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ଏବେ ମହଙ୍ଗା ପଡ଼ିଛି। ଜିଲ୍ଲା ମଙ୍ଗଳ ବିଭାଗ ଏହି ଘଟଣାର ତଦନ୍ତ କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ମେହେରଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ବିବାଦୀୟ ପ୍ରଧାନଶିକ୍ଷକ ମେହେରଙ୍କୁ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣାକୁ ନେଇ ଗୁରୁବାର ଦିନ ଏମ.ରାମପୁର ଥାନାରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସ୍ଥାନୀୟ ମେଟ୍ରନ ଏକ ଲିଖିତ ଏତଲା ଦେଇଛନ୍ତି। ଏହି ଏତଲାରେ ସେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଏବଂ ମାନସିକ ନିର୍ଯାତନା ଦେଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଶୀଘ୍ର ଗିରଫ କରି ଚାକିରିରୁ ବହିଷ୍କାର କରିବାକୁ ଦାବି କରିଛନ୍ତି।

ଭାରପ୍ରାପ୍ତ ଜିଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଲଭ ସାମନ୍ତରାୟଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାପାଳ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପ୍ରଧାନ ଶିକ୍ଷକ ମେହେରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପଠାଇଛନ୍ତି।

Dharitri – Odisha’s No.1 Odia Daily

Share