ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଠିକାଦାର ଗିରଫ

କେନ୍ଦୁଝର,୧୨ା୨(ସ୍ବ.ପ୍ର.): ଟାଉନ ଥାନା ପୋଲିସ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଘରେ କାମରେ ଲଗାଇବା ସହ ଶନିବାର ବଳାତ୍କାର ଉଦ୍ୟମ ମାମଲାରେ ଜଣେ ଠିକାଦାରଙ୍କୁ ଗିରଫ କରିଛି। ତାଙ୍କ ନାମ ଫୁକୁ ପଣ୍ଡା (୫୯) ବୋଲି ଜଣାପଡ଼ିଛି। ଏନେଇ ପୋଲିସ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ରାତିରେ ମେଡିକାଲ କଲେଜ ନିକଟରେ ରାସ୍ତା କଡ଼ରେ ବଳାତ୍କାର ଉଦ୍ୟମ କରିବାରୁ ନାବାଳିକା ଧାଇଁ ପଳାଇଆସିଥିଲେ। ଏହାକୁ ନେଇ ପୋଲିସ ପ୍ରଥମେ ଓପନ ସେଣ୍ଟରରେ ତାଙ୍କୁ ଛାଡ଼ିଥିଲେ। ସେଠାରେ କାଉନସେଲିଂ ବେଳେ ଘଟଣା ଜଣାପଡ଼ିବାରୁ ପାଲିସ ଫୁକୁଙ୍କୁ ଗିରଫ କରିଥିଲା। ରବିବାର ତାଙ୍କର ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁନୀଲ କର କହିଛନ୍ତି। ଅନ୍ୟପକ୍ଷରେ ନାବାଳିକାଙ୍କୁ ନିୟମାନୁଯାୟୀ, ଶିଶୁ ସୁରକ୍ଷା ସମିତି ନିକଟରେ ହାଜର କରାଯାଇ ଆଇନ ଅନୁଯାୟୀ ଥଇଥାନ କରାଯିବ ବୋଲି ସେ କହିଛନ୍ତି। ଏନେଇ କେସ୍‌ ନମ୍ବର୫୮/୨୩ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।