ଦେବଗଡ,୨୯।୪(ଶଶାଙ୍କ ଶେଖର ଝାଙ୍କର): ଠିକାଦାରଙ୍କ ଠକାମିର ଶିକାର ହୋଇ ଏବେ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଶିତ ଟୁସୁଳା ଗ୍ରାମରେ । ମିଳିଥିବା ଅଭିଯୋଗ ଅନୁଯାୟୀ ଟୁସୁଳା ଗ୍ରାମର ଶିବଶକ୍ତି ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସେମାନଙ୍କ ଗୋଷ୍ଠିର ଉନ୍ନତି ନିମନ୍ତେ ଗ୍ରାମରେ ଥିବା ଝରଝରୀ କଟାରେ ମାଛଚାଷ କରିଥିଲେ । ମାତ୍ର ଉକ୍ତ ଗ୍ରାମର ଜଣେ ନିର୍ଦ୍ଦିଷ୍ଟ ଠିକାଦାର ଉକ୍ତ କଟା(ପୁଷ୍କରିଣୀ)ରୁ ପଙ୍କ ଉଦ୍ଧାର ଓ ଉନ୍ନତିକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ଆର୍ଥୀକ ଅନୁଦାନ ଆସିଥିବା ଦର୍ଶାଇ ଉକ୍ତ କଟାରୁ ମାଛ ମାରିଦେବାକୁ ଗୋଷ୍ଠିର ସଦସ୍ୟା ମାନଙ୍କୁ ପରାମର୍ସ ଦେଇଥିଲେ । ଫଳରେ ମାଛ ବଢିବା ପୂର୍ବରୁ ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସେଠାରୁ ମାଛ ଛାଡିଦେବାସହ ସେମାନଙ୍କର ଏକଲକ୍ଷ ଟଙ୍କାର କ୍ଷତି ଘଟିଥିଲା । ମାତ୍ର ଦୂଃଖ ଓ ପରିତାପର ବିଷୟ ଏହା ଯେ, ଦୀର୍ଘଦିନ ପରେ ମଧ୍ୟ ଉକ୍ତ କଟାରୁ ପଙ୍କ ଉଦ୍ଧାର କିମ୍ବା ଉନତିକରଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାର କାରଣ ନେଇ ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ଠିକାଦାର ଜଣକ କୌଣସି ସନ୍ତୋଷ ଜନକ ଉତ୍ତର ଦେବା ପରିବର୍ତ୍ତେ ସେମାନଙ୍କୁ ଓଲଟି ନାନା ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ‘ତୁମେ ଯେଉଁଠିକି ଯିବାର ଅଛି ଯାଅ..ମୋର କେହି କିଛି କରି ପାରିବେ ନାହିଁ ’ ବୋଲି କୁଆଡେ ଉତ୍ତର ଦେଉଛନ୍ତି । ଫଳରେ ସେମାନେ ଦେବଗଡ ଜିଲାପାଲଙ୍କ କାର୍ଯୟାଳୟକୁ ଆସି ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ସାକ୍ଷାତ କରିବା ସହ ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନରେ ସମ୍ପୃକ୍ତ ଝରଝରୀ କଟାର ପଙ୍କ ଉଦ୍ଧାର ଓ ଉନ୍ନତିକରଣ କରିବାକୁ ଲିଖିତ ପ୍ରାର୍ଥନା କରିଥିଲେ ।


