ସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟ

ରାଇକିଆ,୨୧ା୩(ଡି.ଏନ.ଏ): ତିନି ବର୍ଷରୁ ଅଧିକ ସମୟ ବିତିବାକୁ ବସିଲାଣି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନାହିଁ କନ୍ଧମାଳ ଜିଲା ରାଇକିଆଠାରେ ନିର୍ମାଣାଧିନ ଥିବା ଚିଲଡ୍ରେନ୍ସ ପାର୍କ। ୨୦୨୦ ଜାନୁଆରୀରୁ ଆରମ୍ଭ ହେଇଥିଲା ପାର୍କ ନିର୍ମାଣ କାର୍ଯ୍ୟ କିଛି ମାସର କାମ ପରେ କରୋନ କଟକଣା ଯୋଗୁ କାମ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ଭିତ୍ତିଭୂମି କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ଉପକରଣ ମଧ୍ୟ ଲଗାଯାଇଥିଲା। ସର୍ବସାଧାରଣଙ୍କ ପାଇଁ ଓପନ ଜୀମ ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ବ୍ୟାୟାମ ଉପକରଣର ବ୍ୟବସ୍ଥା କରାଯାଇଥିଲା। ୟା ମଧ୍ୟରେ ତିନୋଟି ବିଡିଓ ବଦଳିଲେଣି, ତିନି ବର୍ଷରୁ ଅଧିକ ସମୟ ବିତିଲା। ପାର୍କକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ଅନେକ କାମ ବାକିଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବ୍ୟବହାର ଉପଯୋଗୀ ହୋଇନଥିଲେ ମଧ୍ୟ ସକାଳେ ସନ୍ଧ୍ୟାରେ ଲୋକଙ୍କ ଭିଡ ଜମୁଛି ଏହି ଅର୍ଦ୍ଧ ନିର୍ମିତ ପାର୍କରେ। ଫାଟକ ବନ୍ଦ ରହିଥିଲେ ମଧ୍ୟ ପାଚେରୀ ଡେଇଁ ଲୋକେ ପ୍ରବେଶ କରୁଛନ୍ତି । ଏପରିକି କିଛି ସାମଗ୍ରୀ ନଷ୍ଟ ହେବାକୁ ମଧ୍ୟ ବସିଲାଣି । ଅସାମାଜିକଙ୍କ ଆଡ୍ଡା ମଧ୍ୟ ଜମୁଛି । ଅନ୍ୟ ପକ୍ଷରେ କାମ ଶେଷ ପାଇଁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉନି। ଫଳରେ ଉଦ୍‌ଘାଟନ ପୂର୍ବରୁ ପାର୍କଟି ନଷ୍ଟ ହେବାର ଆଶଙ୍କା ଦେଖାଦେଲାଣି। ଏ ନେଇ ରାଇକିଆ ବିଡିଓ ଶରତ ପାତ୍ର କହିଛନ୍ତି, ବିଦ୍ୟାଳୟ ଗୁଡ଼ିକରେ ୫-ଟି କାର୍ଯ୍ୟ ବ୍ୟସ୍ତତା ଯୋଗୁ ପାର୍କ ତିଆରି ସରି ପାରୁନାହିଁ, ବିଳମ୍ବ ଘଟୁଛି । ଏହି କାମ ସରିଲା ପରେ ପାର୍କ କାର୍ଯ୍ୟ ଶେଷ କରାଯିବ।