ନାଳ ଅବରୋଧ କରି ରାସ୍ତା ନିର୍ମାଣ

କେନ୍ଦୁଝର,୨୦ା୩(ସ୍ବ.ପ୍ର.):କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଧୃର୍ପଦା ନିକଟରେ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜାତୀୟ ରାଜପଥ ୪୯ କଡ଼ରେ ପୂର୍ତ୍ତ ବିଭାଗ ରାସ୍ତା ଏବଂ ଜାତୀୟ ରାଜପଥ ପାର୍ଶ୍ୱ ନାଳ ପୋତି ରାସ୍ତା ନିର୍ମାଣ କରାଯାଉଛି। ରାସ୍ତା ନିର୍ମାଣରେ କାରଖାନାର ବର୍ଜ୍ୟବସ୍ତୁ କଳାଗୁଣ୍ଡ ବ୍ୟବହାର କରାଯାଇଥିବାରୁ ଉକ୍ତ ଅଞ୍ଚଳରେ ଜଳ ଓ ବାୟୁ ପ୍ରଦୂଷଣ ହେଉଛି।
ପ୍ରକାଶ ଯେ, ଗତ ୮ ମାସ ତଳେ ରାସ୍ତା ନିର୍ମାଣ ବେଳେ ଅଭିଯୋଗ ପରେ ସଦର ତହସିଲ ପକ୍ଷରୁ ରାସ୍ତା କାମ ବନ୍ଦ କରାଯାଇଥିଲା। ଏବେ ପୁଣି ଉକ୍ତ ସ୍ଥାନରେ ରାସ୍ତା ନିର୍ମାଣ ହେଉଛି। ବର୍ତ୍ତମାନ ଚାଷଜମି ସଙ୍କୁଚିତ ହେବାକୁ ବସିଥିବାବେଳେ ରାସ୍ତା ନ ଥାଇ ଜମିମାଫିଆ ଜମି ମାଲିକଙ୍କୁ ପ୍ରଲୋଭିତ କରି କିଣାବିକା କରୁଛନ୍ତି। ଏଭଳି କ୍ଷେତ୍ରରେ ରାସ୍ତା ନ ଥିଲେ ମଧ୍ୟ ଜାତୀୟ ରାଜପଥ ଅଧିଗ୍ରହଣ ଜମି, ସରକାରୀ ଜମି, ନୟନଯୋରୀ କିସମ ଥାଇ ମଧ୍ୟ କାରଖାନାର ବର୍ଜ୍ୟବସ୍ତୁ ଆଣି ନାଳ ପୋତି ଦିଆଯାଇଛି। ରାସ୍ତା ହେବା ଫଳରେ ଜଳ ନିଷ୍କାସନ ରାସ୍ତାରେ ଅବରୋଧ ହେବା ସହ ଜାତୀୟ ରାଜପଥ ଡ୍ରେନ୍‌ରେ ଜଳ ଯିବାରେ ବାଧା ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ରାସ୍ତା ଏବଂ ଜାତୀୟ ରାଜପଥ ପାର୍ଶ୍ୱରେ ନାଳ ପୋତି ରାସ୍ତା ନିର୍ମାଣ କରାଯାଉଛି। ଫଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ପାଣି ଜମି ରହୁଛି। ରାସ୍ତା ନିର୍ମାଣ ଯୋଗୁ ଜାତୀୟ ରାଜପଥ ପାର୍ଶ୍ୱରେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା କରାଯାଇଥିବା ବନୀକରଣ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ସଦର ତହସିଲଦାର ଆଶିଷ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ଘଟଣାର ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଜାତୀୟ ରାଜପଥ ପ୍ରାଧିକରଣର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସଂସ୍ଥାର ମ୍ୟାନେଜର ପ୍ରଦୀପ କୁମାର ନରସିଂହ, ତଦନ୍ତ କରାଯାଇ ଜାତୀୟ ରାଜପଥ ଜମି ଏବଂ ନାଳକୁ ଅବରୋଧ ମୁକ୍ତ କରାଯିବ ବୋଲି କହିଥିଲେ।