Categories: ମେଟ୍ରୋ

ଜୟଦେବ ବିହାର-ନନ୍ଦନକାନନ ବିକଳ୍ପ ରାସ୍ତା ନିର୍ମାଣ: ୩ ମାସରେ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ସହରରେ ଜନସଂଖ୍ୟା ବଢୁଥିବାରୁ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ଅସମ୍ଭାଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଉଛି। ଜୟଦେବବିହାରରୁ ନନ୍ଦନକାନନ ମଧ୍ୟରେ ଟ୍ରାଫିକ୍‌ ସମସ୍ୟା ବଢୁଥିବାରୁ ଆଉ ଏକ ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ଜାଭିୟର ଛକରୁ କିଟ୍‌ ଛକ ଭାୟା ସରକାରୀ ପଲିଟେକ୍ନିକ, ରେଳ ବିହାର, ଉତ୍କଳ ହସ୍ପିଟାଲ, ଓଇଆରସି ବିଲ୍ଡିଂ, ଟ୍ରାଇଡେଣ୍ଟ ଇନ୍‌ଫୋସିଟି ଛକ ଦେଇ ଶିଖରଚଣ୍ଡୀ, ପଥରଗାଡିଆ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଦେଇ ଚନ୍ଦକାକୁ ସଂଯୋଗ କରିବ। ଆସନ୍ତା ୩ ମାସ ମଧ୍ୟରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୧୩ କି.ମି. ରାସ୍ତା ନିର୍ମାଣ ପାଇଁ ୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ୧.୫ କି.ମି. ରାସ୍ତା ନିର୍ମାଣ ସରିଥିବାବେଳେ ଅବଶିଷ୍ଟ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି।

ଶନିବାର ମଧ୍ୟାହ୍ନରେ କ୍ଷେତ୍ର ପରିଦର୍ଶନ କରି ମୁଖ୍ୟ ଶାସନ ସଚିବ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେହିପରି ଆଚାର୍ଯ୍ୟବିହାରଠାରୁ ପଟିଆ ବିଗ୍‌ବଜାର ପର୍ଯ୍ୟନ୍ତ ଅନ୍ୟ ଏକ ରାସ୍ତା କାମ ବୁଲି ଦେଖିଛନ୍ତି। ଆଚାର୍ଯ୍ୟ ବିହାରରୁ ପ୍ରେସ୍‌ ଛକ, ଏମ୍‌ସିଏଲ୍‌ ଛକ, ରେଲ୍‌ଓ୍ବେ ଷ୍ଟାଡିୟମ, ଗୁରୁ କେଳୁଚରଣ ମହାପାତ୍ର ପାର୍କ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ମଧ୍ୟ ୩ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତାର ସମୁଦାୟ ଦୈର୍ଘ୍ୟ ୬.୨୫ କି.ମି. ପାଇଁ ୨୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ଜମି ଅଧିଗ୍ରହଣ ପାଇଁ ମଧ୍ୟ ବ୍ୟୟ ଅଟକଳ ହୋଇଛି। ଏହି ରାସ୍ତାର ୧.୦୫ କି.ମି. ନିର୍ମାଣ ଶେଷ ହୋଇଛି। ନିର୍ମାଣାଧୀନ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅର୍ଥ ସଚିବ ଅଶୋକ ମୀନା, ବିଏମ୍‌ସି କମିଶନର ସଞ୍ଜୟ ସିଂ, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ମନୋରଞ୍ଜନ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।